ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପତ୍ର) : ଶିଶୁମାନଙ୍କୁ ପୁଷ୍ଟିକର ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇବା ଏବଂ ଗୁଣାତ୍ମକ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭବାନୀପାଟଣା ସେକ୍ଟର ଅଧୀନ ଦେପୁର ଓ ଉଦୟପୁର ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନକା ଉତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ପାଇଁ ମିଲେଟ୍ ସମେତ ବିଭିନ୍ନ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁମାନଙ୍କୁ ଉତ୍ତମ ମାନର ଖାଦ୍ୟ ଯୋଗାଇବା, ଖାଦ୍ୟର ପୋଷଣମାନ ବୃଦ୍ଧି କରିବା ଓ ସୁସ୍ଥ ଶୈଶବ ଗଠନ ନେଇ ଆଲୋଚନା କରାଯାଇଥିଲା। ବିଶେଷକରି ଗୁଣାତ୍ମକ ଖାଦ୍ୟ ପ୍ରସ୍ତୁତି ଓ ଶିଶୁଙ୍କ ପୋଷଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ବର୍ତମାନ ପୁରୁଷ ମାନଙ୍କୁ ସାମିଲ କରାଯାଇଛି । ଯାହାଫଳରେ ସେମାନେ ମଧ୍ୟ ପିଲାଙ୍କ ଖାଦ୍ୟ ଏବଂ ପୋଷଣ ବିଷୟରେ ଅବଗତ ହୋଇ ପାରିବେ। ଏହିକାର୍ଯ୍ୟକ୍ରମରେ ପୁରୁଷ ମାନେ ସାମିଲ ହୋଇ ବିଭିନ୍ନ ପ୍ରକାର ର ପିଠା ଏବଂ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ଯାହାକି ପିଲାମାନଙ୍କ ପୋଷଣ ପାଇଁ ଆବଶ୍ୟକ। ଏହି କାର୍ଯ୍ୟକ୍ରମ ଦେପୁର ଓ ଉଦୟପୁର ଅଙ୍ଗନବାଡ଼ି ସୁପରଭାଇଜର ଟୁନିଲତା ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ଅଙ୍ଗନବାଡ଼ି କର୍ମୀ ବାସନ୍ତୀ ପାଢ଼ୀ, ରମା ଦାଶଙ୍କ ସମେତ ଆଶା ଓ ସହାୟିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଗାମୀ ତିନି ଦିନ ଧରି ଭବାନୀପାଟଣା ସେକ୍ଟର ଅଧୀନ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ‘ଅଙ୍ଗନାର ଉତ୍ସବ’ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାପଡ଼ିଛି।
