ଟ୍ରାକ୍ଟର-ବାଇକ ମଧ୍ୟରେ ଦୁର୍ଘଟଣା

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଥାନା ଅନ୍ତର୍ଗତ ମୋଟେର ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଟ୍ରାକ୍ଟର ଏବଂ ବାଇକ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ପ୍ରାଣହାନୀ ଘଟିଛି। ମୃତ ମହିଳା ଜଣକ ବାଟିଗୁଡ଼ା ଗ୍ରାମର ନରେନ୍ଦ୍ର ନାଗଙ୍କ ସ୍ତ୍ରୀ ଦେବନ୍ତୀ ନାଗ ବୋଲି ଜଣାପଡ଼ିଛି।  ମିଳିଥିବା ସୂଚନା ଅନୁଯାୟୀ, ଦେବନ୍ତୀ ତାଙ୍କ ସ୍ବାମୀ ଏବଂ ପୁଅଙ୍କ ସହିତ ବାଇକ ଯୋଗେ କୌଣସି କାର୍ଯ୍ୟରେ ଯାଉଥିଲେ। ଏହି ସମୟରେ ମୋଟେର ଛକ ନିକଟରେ ଏକ  ବାଲି ବୋଝେଇ ଟ୍ରାକ୍ଟର ସହିତ ଦୁର୍ଘଟଣା ହୋଇଥିଲା। ଫଳରେ ତିନିଜଣାଯାକ ବାଇକରୁ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଫଳରେ ଦେବନ୍ତୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ମୋଟେର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ମାତ୍ର ମୃତକଙ୍କ ପରିବାରବର୍ଗ ଓ ସମ୍ପର୍କୀୟ ମାନେ କ୍ଷତିପୂରଣ ଦେବା ଦାବିରେ ମୃତଦେହକୁ ରାସ୍ତା ଉପରେ ରଖି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସମାଧାନ ହୋଇପାରି ନାହିଁ।

Leave a Reply

Your email address will not be published. Required fields are marked *