ତାଡିଝୁଲା ଗାଁରେ ସରକାରୀ ଯୋଜନା ଅପହଞ୍ଚ

ଲାଞ୍ଜିଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ବେଡାଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଡିଝୁଲା ଗାଁ ବସତିର ଦିର୍ଘ ଦଶନ୍ଧି ପରେ ମଧ୍ୟ ସାମନ୍ୟ ମୌଳିକ ସୁବିଧା ଟିଏ ପହଞ୍ଚି ପାରିନାହିଁ। ଗାଁରେ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ବେଳେ ବିଜୁଳି କଥା ନ କହିବା ଭଲ। ତାଡିଝୁଲା ଗାଁରେ କୁଟିଆ କନ୍ଧ ସମ୍ପ୍ରଦାୟର ୧୦ ଘର ବସବାସ କରି ଆସୁଛନ୍ତି। ସେମାନଙ୍କ ପାନୀୟଜଳ ନିମନ୍ତେ ଗୋଟିଏ ନଳକୂଅ ରହିଛି। ତାହା ପୁଣି ଦିର୍ଘ ୧୬ ବର୍ଷ ହେଲା ଦୟନୀୟ ଅବସ୍ଥାରେ ରହିଛି। ଏଣେ ଗାଁ ନିକଟସ୍ତ ଆଲିମରା ଡଙ୍ଗରରୁ ଆସୁଥିବା ପାଣିକୁ ପୂର୍ବରୁ ଏକ କୁଣ୍ଡ କରି ପାଇପ ଯୋଗେ ସେହି ପାଣିକୁ ପାନୀୟଜଳ ଭାବେ ବ୍ୟବହାର କରି ଶୋଷ ମେଣ୍ଟାଉ ଥିଲେ। କିନ୍ତୁ ତାହାବି ବର୍ତମାନ ଠପ୍ ହୋଇଛି। ଯାହା ଫଳରେ ଖୋଲା ଆକାଶ ତଳେ ଥିବା ଏକ କୁଣ୍ଡର ଗୋଳିଆ ପାଣିକୁ ଗାଧେଇବା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବା ସହିତ ସେହି ପାଣିକୁ ପାନୀୟଜଳ ରୂପେ ମଧ୍ୟ ବ୍ୟବହାର କରୁଛନ୍ତି ଗାଁ ଲୋକେ। ଯାହା ଫଳରେ ଏହି ଗାଁ ଲୋକେ ବିଭିନ୍ନ ରୋଗର ଶିକାର ହେଥିବା ଅଭିଯୋଗ କରିଛନ୍ତି। ସେହିଭଳି ଆଜିକୁ ୧୩ ବର୍ଷ ପୂର୍ବେ ଗାଁର ୪ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ତେବେ ବିଦ୍ୟୁତ୍ ସଂଯୋଗର ମାତ୍ର ଏକ ମାସ ଆଲୁଅ ଜଳିବା ପରେ ଟ୍ରାନ୍ସଫର୍ମରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେହି ଦିନଠାରୁ ଗାଁରେ ବିଜୁଳି ନାହିଁ। ଟ୍ରାନ୍ସଫର୍ମର ମରାମତି ପାଇଁ ବାରମ୍ବାର ଦାବି ହେଲେ ବି ବିଭାଗୀୟ ଅଧିକାରୀ ଶୁଣୁ ନଥିବା ଗାଁ ଲୋକେ କହିଛନ୍ତି। ଡିବିରି ଆଲୁଅ ଭରସାରେ ଗାଁ ଲୋକେ ନିର୍ଭର କରୁଛନ୍ତି। ଏଣେ ପୂର୍ବ ପରି ପଞ୍ଚାୟତ ତରଫରୁ କିରୋସିନି ମିଳୁନଥିବାରୁ ଅନ୍ଧାରରେ ଜୀବନ ବିତାଉଛନ୍ତି। ଅନ୍ୟପଟେ ସନ୍ଧ୍ୟା ହେଲେ ବନ୍ୟପ୍ରାଣୀ ଓ ହାତୀର ଭୟରେ ଥରୁଛି ଗାଁ। ଗାଁକୁ ହାତୀପଲ ଆସିବା ଜାଣିପାରି ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଜଗି ରହୁଛନ୍ତି। ଗାଁରେ ସ୍କୁଲ ନଥିବା ଯୋଗୁଁ ପାହାଡିଆ ରାସ୍ତାରେ ଚାଲି ଚାଲି ପିଲା ନିକଟସ୍ଥ ଗାଁ ଦେହେଡା ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଥିବାବେଳେ ବର୍ଷକ ମଧ୍ୟରେ ଅଧିକାଂଶ ସମୟ ପିଲା ଘରେ ରହୁଛନ୍ତି। ସେହିପରି ନିଜ ଗାଁଠାରୁ ଜଙ୍ଗଲୀ ରାସ୍ତା ଦେଇ ନିକଟସ୍ଥ ଦେହେଡା ଗାଁ ଅଙ୍ଗନବାଡି କେନ୍ଦ୍ରକୁ କୋମଳମତି ଶିଶୁମାନଙ୍କୁ ନେଇ ମା’ ମାନେ ଯାଉଛନ୍ତି। ତେବେ ଆଉ କେତେ ଦଶନ୍ଧି ଗଲେ ଏହି ଗାଁକୁ ସରକାରଙ୍କ ଦୃଷ୍ଟି ପଡ଼ିବ ଏବଂ ଗାଁର ଭାଗ୍ୟ ବଦଲିବ ତାହା ହିଁ ଦେଖିବାକୁ ବାକି ରହିଛି।