ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଚାଷୀଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଆତ୍ମନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, ଆଧୁନିକ ଜ୍ଞାନକୌଶଳ ଓ ବିକଳ୍ପ ଜୀବିକା ସମ୍ପର୍କରେ ସଚେତନ କରାଯିବା ସହ ଚୟନିତ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଓ ସବସିଡି ପ୍ରଦାନ କରାଯାଇଛି। କଳାହାଣ୍ଡିର ପାରମ୍ପରିକ ବୀରବାଦ୍ୟ ଘୁମୁରାର ତାଳେ ଅତିଥିମାନଙ୍କୁ ସ୍ୱାଗତ କରାଯିବା ପରେ ମେଳାର ଶୁଭାରମ୍ଭ ହୋଇଥିଲା। ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଡିଓ ତ୍ରିପୁରା ମହାନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ସହକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସନ୍ୟାସୀ ଶତପଥୀ, ସାଂସଦ ପ୍ରତିନିଧି ପ୍ରସନ୍ନ କୁମାର ରାଉତ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଦିବ୍ୟପ୍ରକାଶ ମିଶ୍ର, ତହସିଲଦାର ଚନ୍ଦନ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବୃଷଭ ନାଏକ, ଦଶପୁର ଜୋନ୍ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦିଲୀପ ମାଝୀ, ବରିଷ୍ଠ ସାମ୍ବାଦିକ ସୁଧୀର ସାହୁ ଓ ସଫଳ ଚାଷୀ କୃଷ୍ଣଚନ୍ଦ୍ର ନାଗ ପ୍ରମୁଖ ଉପସ୍ଥିତ ଥିଲେ। ଉପଖଣ୍ଡ ପ୍ରାଣୀସମ୍ପଦ ଅଧିକାରୀ ଡା. ମଧୁସୂଦନ ବାଗ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବାବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା ଓ ସହକାରୀ ମତ୍ସ୍ୟ ଅଧିକାରୀ ବନ୍ଦନା ରାଣୀ ପଣ୍ଡା ମଧ୍ୟ ଯୋଗଦେଇଥିଲେ। ମେଳାରେ ଉଦବୋଧନ ଦେଇ ଅତିଥିମାନେ କହିଥିଲେ ଯେ, ଚାଷୀମାନେ କେବଳ ପାରମ୍ପରିକ ଚାଷ ଉପରେ ନିର୍ଭର ନକରି ମାଛଚାଷ, ଗୋପାଳନ, ଛେଳି ଓ ମେଣ୍ଢା ପାଳନ ସହ କୁକୁଡ଼ାଚାଷ ଭଳି ବିକଳ୍ପ ଜୀବିକାକୁ ଆପଣାଇବା ଆବଶ୍ୟକ। ଏହି କ୍ଷେତ୍ରଗୁଡ଼ିକରେ ରହିଥିବା ଆର୍ଥିକ ସମ୍ଭାବନାର ଉପଯୋଗ କରିବା ସହ ଆଧୁନିକ ଜ୍ଞାନକୌଶଳ ଓ ସରକାରୀ ସହାୟତାର ସଦୁପଯୋଗ କରିପାରିଲେ ଚାଷୀଙ୍କ ଆୟ ବୃଦ୍ଧି ହେବା ସହ ସେମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାରେ ଚୟନିତ ହିତାଧିକାରୀଙ୍କୁ ଗୋରୁ ଗୁହାଳ, ଛେଳି ଓ ମେଣ୍ଢା ଗୁହାଳ, କୁକୁଡ଼ା ଫାର୍ମ ନିର୍ମାଣ ଏବଂ ମାଛଚାଷ ପାଇଁ ପୋଖରୀ ଖନନ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନା ଅନୁଯାୟୀ ସବସିଡି ଅର୍ଥ ମଧ୍ୟ ବଣ୍ଟନ କରାଯାଇଥିଲା। ଏହାଦ୍ୱାରା ଗ୍ରାମାଞ୍ଚଳରେ ନୂତନ ଉଦ୍ୟୋଗ ସୃଷ୍ଟି, ଆତ୍ମନିଯୁକ୍ତି ଓ ରୋଜଗାର ବୃଦ୍ଧି ସହ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ଆଶା ପ୍ରକାଶ ପାଇଛି। ତେବେ ସରକାରୀ ଯୋଜନାର ପ୍ରକୃତ ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ସହ ଏହାର ଦୀର୍ଘସ୍ଥାୟୀ ସଫଳତା ପାଇଁ ନିୟମିତ ତଦାରଖ, ବୈଷୟିକ ପରାମର୍ଶ, ଆବଶ୍ୟକ ତାଲିମ ଓ ଉତ୍ପାଦିତ ସାମଗ୍ରୀର ବଜାର ସଂଯୋଗ ଉପରେ ଗୁରୁତ୍ୱ ଦେବା ଜରୁରୀ। କେବଳ କାର୍ଯ୍ୟାଦେଶ ଓ ସବସିଡି ପ୍ରଦାନରେ ଯୋଜନାର ସଫଳତା ସୀମିତ ନରହି ଚାଷୀମାନେ ଯେପରି ବାସ୍ତବରେ ଲାଭବାନ ହେବେ, ସେଥିପାଇଁ ସମ୍ପୃକ୍ତ ବିଭାଗର ନିରନ୍ତର ସହଯୋଗ ଆବଶ୍ୟକ। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଥିବା ସମ୍ଭାବନାର ସଠିକ୍ ଉପଯୋଗ ହୋଇପାରିଲେ ଗୋଲାମୁଣ୍ଡା ବ୍ଲକର ଚାଷୀଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତି ଅଧିକ ସୁଦୃଢ଼ ହୋଇପାରିବ ବୋଲି ମତପ୍ରକାଶ ପାଇଛି।
