ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ। ବର୍ଷସାରା ହାତୀଙ୍କ ଉପଦ୍ରବ ଯୋଗୁଁ ଅଞ୍ଚଳବାସୀ ଭୟ ଓ ଆତଙ୍କ ମଧ୍ୟରେ ଜୀବନ ବିତାଉଥିବାବେଳେ କେତେବେଳେ ଧନଜୀବନ ହାନି ଘଟୁଛି ତ ଆଉ କେତେବେଳେ ଘରଦ୍ୱାର ଓ ଚାଷଜମି ନଷ୍ଟ ହେଉଛି। ପୁଣି ଥରେ ହାତୀପଲଙ୍କ ଉପଦ୍ରବରେ ପାହାଡ଼ପଦର ଓ ଜାମାଗୁଡ଼ା ଗ୍ରାମର ପାଞ୍ଚଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ପାହାଡ଼ପଦର ପଞ୍ଚାୟତର ପାହାଡ଼ପଦର ଗ୍ରାମରେ ହାତୀପଲ ଉପଦ୍ରବ କରି ହରେକୃଷ୍ଣ ସାହୁ ଓ ବିରସିଂ ମାଝୀଙ୍କ ଧାନ ଫସଲ ନଷ୍ଟ କରିଦେଇଛନ୍ତି। ସେହିପରି ଜାମାଗୁଡ଼ା ଗ୍ରାମରେ ତ୍ରିନାଥ ସାହୁ, ରବୀନ୍ଦ୍ର ସାହୁ ଓ ବିରଞ୍ଚି ସାହୁଙ୍କ ଘର ଭାଙ୍ଗିବା ସହ ଘରେ ରଖାଯାଇଥିବା ଧାନ, ମାଣ୍ଡିଆ, ଅଳସି ଓ ବିରି ଆଦି ଖାଦ୍ୟଶସ୍ୟ ନଷ୍ଟ କରିଦେଇଛନ୍ତି। ଏଥିସହ ଘରେ ଥିବା ରାସନ ସାମଗ୍ରୀ ମଧ୍ୟ ହାତୀପଲଙ୍କ ଦ୍ୱାରା ନଷ୍ଟ ହୋଇଥିବା ଜଣାପଡ଼ିଛି। ହାତୀଙ୍କ ଏଭଳି ଉପଦ୍ରବ ଯୋଗୁଁ ପାଞ୍ଚଟି ପରିବାର ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ସହ ଘର ଓ ଖାଦ୍ୟଶସ୍ୟ ନଷ୍ଟ ହେବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି। ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ହାତୀଙ୍କ ଲଗାତାର ଉପଦ୍ରବ ଲୋକଙ୍କ ଜୀବନ ଓ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯାଇ କ୍ଷତିଗ୍ରସ୍ତ ପରିବାରକୁ ନିୟମାନୁଯାୟୀ ଉଚିତ କ୍ଷତିପୂରଣ ପ୍ରଦାନ କରିବା ସହ ହାତୀ ଉପଦ୍ରବ ରୋକିବା ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
