ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ଆଦିବାସୀ ଅଧ୍ୟୁଷିତ ପଛୁଆ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ କ୍ଷେତ୍ରରେ ବହୁ ପଛରେ ପଡିଥିବାବେଳେ ବିଭିନ୍ନ ଲୋକେ ଆଜି ବିକାଶ ର ଆଲୋକ ଦେଖି ନାହାନ୍ତି।ଜିଲ୍ଲାରେ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ଗର୍ଭବତୀ ଓ ଶିଶୁ ରକ୍ତହୀନତା ଓ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ଦୁଇ ତୃତୀୟାଂଶ ଡାକ୍ତର ପଦବୀ ଖାଲି ପଡିଛି। ଥିଲାବାଲା ପରିବାର ରୋଗୀ ଚିକିତ୍ସା ନିମନ୍ତେ ବାହାର ରାଜ୍ୟକୁ ଭରସା କରୁଥିବାବେଳେ ଗରିବ ପରିବାର ରୋଗୀ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ରହୁଛନ୍ତି। ଡାକ୍ତର ବଦଳରେ ଗାଁର ଦିଶାରୀ ଗୁଣିଆ ଅଥବା ନକଲି ଡାକ୍ତର (କ୍ୱାକ) ଙ୍କ ଶରଣରେ ଯାଇ ସର୍ବସ୍ବାନ୍ତ ହେଉଥଥିବାବେଳେ ଭୁଲ ଚିକିତ୍ସାରୁ ଅକାଳରେ ମରଣକୁ ବରଣ କରିବା ସାର ହେଉଛି। ସରକାରଙ୍କ ମାଲ ମାଲ ଯୋଜନା ଏଠି କାହିଁ ଉଭାନ ହୋଇ ଯାଇଛି କହିଲେ ଅଚ୍ୟୁତ ହବ ନାହିଁ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ଅଧୀନ ଆମଢାପଦର ଗ୍ରାମରେ। ଏଠାକ ୪ଜଣ ଶିଶୁ ଅପପୃଷ୍ଟିର ଶିକାର ହୋଇ ଦିବ୍ୟାଙ୍ଗ ଭାବେ ଅଭିଶପ୍ତ ଜୀବନ ବିତାଉଛନ୍ତି। ସେମାନେ କଥା କହି ପାରୁଛନ୍ତି ନା’ ଚାଲି ପାରୁଛନ୍ତି। ନିତିଦିନିଆ କାମ ମଧ୍ୟ କରି ପାରୁନାହାନ୍ତି। ଏଭଳି ଦୁଃଖଦ ଜୀବନ ବଞ୍ଚୁଛନ୍ତି ସୁରେନ୍ଦ୍ର ସାନ୍ତାର ପୁଅ ଦାମୋଦର ସାନ୍ତା (୫), ଉପେନ୍ଦ୍ର ସାନ୍ତାର ପୁଅ ମାନସ ସାନ୍ତା (୩), ସନ୍ତ ସାନ୍ତାର ପୁଅ ସଞ୍ଜୟ ସାନ୍ତା(୫) ଓ ସୁବାଷ ସାନ୍ତାର ପୁଅ ବବଲୁ ସାନ୍ତା (୫)। ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଅଧିନ ଆମଢାପଦର ଗାଁ ୪୫ ପରିବାର ବସବାସ କରନ୍ତି। ଗାଁ ର ସମସ୍ତେ ଅଶିକ୍ଷିତ। ଲେଖା ପଢ଼ା ଜାଣନ୍ତି ନାହିଁ । ଗାଁ ରେ ଅପପୁଷ୍ଟି ରେ ଶିକାର ହୋଇ ୪ଜଣ ପିଲା ଏବେ ଭିନ୍ନକ୍ଷମ। ନାଁ ଚାଲି ପାରୁଛନ୍ତି ନାଁ କଥା କହିପାରୁଛନ୍ତି। ଦୁଃଖରେ ମାଆ ପୁଅ ୪ ପରିବାର ଭାଙ୍ଗି ପଡିଛନ୍ତି । ଉତ୍ତମ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପରେ କୋରାପୁଟ ଓ ନବରଙ୍ଗପୁର ନେଇଥିଲେ ହେଲେ ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ଏବେ ଏପରି ଭିନ୍ନକ୍ଷମ ହୋଇ ଘରେ ପଢ଼ିରହିଛନ୍ତି । ନାଁ ସରକାରୀ ସହାୟତା ମିଳିଛି ନାଁ ଭତ୍ତା ଯୋଜନାରେ ସାମିଲ କରାଯାଇଛି। ବାରମ୍ବାର ବ୍ଲକ କର୍ତ୍ତୃପକ୍ଷ ଓ ପଂଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା ସେମାନଙ୍କୁ ସରକାରୀ ସୁବିଧା ମିଳିପାରିନାହିଁ ବୋଲି କହିଛନ୍ତି ୱାର୍ଡ ମେମ୍ବର ଅନ୍ଧାରୁ ସାନ୍ତା ଓ ସେମାନଙ୍କ ମାଆ ବାପା। ଏଣୁ ସେମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା ପାଇ ମାଆ ବାପା ଓ ଗ୍ରାମବାସୀ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।