ଆଇଟିଡିଏ ଓ ଏମଜିଏନଆରଇଜିଏ ର ଅଲଗା ଅଲଗା ବିଲ ଉଠେଇ ଥିବାନେଇ ଅଭିଯୋଗ

  • ହାଟପିଣ୍ଡି ନିର୍ମାଣ ପ୍ରସଙ୍ଗରେ 

କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଏମ କେରାଗାଁ ପଂଚାୟତ ସଦର ମହକୁମାରେ ନିର୍ମିତ ହୋଇଥିବା ହାଟପିଣ୍ଡି କାର୍ଯ୍ୟରେ ଦୁର୍ନୀତି  ହୋଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।  ସୂଚନା ପ୍ରକାରେ, ୨୦୨୨-୨୩ ଆର୍ଥିକ ବର୍ଷରେ କୋଷାଗୁମୁଡା ବ୍ଲକର ଏମ କାରାଗାଁ ପଂଚାୟତ ସଦର ମହକୁମାରେ ୨ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ହାଟପିଣ୍ଡି ନିର୍ମାଣ ହୋଇଥିଲା। ଏହି କାର୍ଯ୍ୟ ଆଇଟିଡିଏ ବିଭାଗ ପକ୍ଷରୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ପୁଣିଥରେ ଏମଜିଏନ ଆରଇଜିଏ ପକ୍ଷରୁ ୨ଲକ୍ଷ ୮୩ ହଜାର ଟଙ୍କା ଉକ୍ତ କାର୍ଯ୍ୟ ପାଇଁ ବ୍ୟୟ କରାଯାଇଛି। ଏହି କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ବିଲ କରିବା ନେଇ ପୂର୍ବ ପ୍ରସ୍ତୁତି କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଦି କାର୍ଯ୍ୟର ତର୍ଜମା କରାଯାଏ ତେବେ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ପିଣ୍ଡି ଉପରେ ହାତ ମାରିଦେଲେ ପିଣ୍ଡିର ଉପରି ଭାଗ ବାହାରି ପଡୁଥିବା ଅଭିଯୋଗ ହେଉଛି। କାର୍ଯ୍ୟରେ ହରିଲୁଟ ହୋଇଥିବା ନେଇ କେରାଗାଁ ଗ୍ରାମବାସୀ ପ୍ରଥମେ ବିଡ଼ିଓ ଙ୍କ ଦ୍ୱାରସ୍ତ ହୋଇଥିଲେ। ହେଲେ ବିଡ଼ିଓ ମହାଶୟ ଅଭିଯୋଗ ପତ୍ର ପାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ। ତଥାପି କାର୍ଯ୍ୟାନୁଷ୍ଠାନ ଶୂନ। ଶେଷରେ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗ୍ରାମରେ ଏବେ ଏକ ଗ୍ରାମ କମିଟି ମଧ୍ୟ ଗଠନ କରାଯାଇଛି। କାର୍ଯ୍ୟର ତଦନ୍ତ ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଏଯାଏ କୌଣସି ଅଧିକାରୀ ଗ୍ରାମରେ ପହଂଚି ନାହାନ୍ତି କି କାର୍ଯ୍ୟର ତଦନ୍ତ କରାଯାଉନି। କୋଷାଗୁମୁଡା ବ୍ଲକରେ ଏମିତି ଅନେକ ସ୍ଥାନରେ ହରିଲୁଟ ହୋଇଛି। ବିନା କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କାର ବିଲ ହେଉଛି। ହେଲେ ମଧ୍ୟ ଉପରିସ୍ଥ ଅଧିକାରୀମାନେ ଏସବୁ ଦୁର୍ନୀତି ଉପରେ ନଜର ଦେଉନାହାନ୍ତି। ତେଣୁ ଉଭୟ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ସରକାରୀ ଅର୍ଥ ଚଲୁ ହେଉଛି। ଏମ କେରାଗାଁ ପଂଚାୟତର ହାଟପିଣ୍ଡି ନିର୍ମାଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହିତ ସମ୍ପୃକ୍ତ ଅଭିଯୋଗ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।