ବାଇକ ଧକ୍କାରେ ଗୁରୁତର ମୃତ୍ୟୁ ଘଟଣା ; ଶବ ରଖି ରାସ୍ତା ଅବରୋଧ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : ବାଇକ ଧକ୍କାରେ ଗୁରୁତର ଥିବା କଲମପୁର ଥାନା ଅନ୍ତର୍ଗତ ବାବୁକେନ୍ଦୁଗୁଡ଼ା ଗ୍ରାମର କୁରୁକ୍ଷେତ୍ର ବେମାଲଙ୍କ ସୋମବାର ଭୁବନେଶ୍ବରଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ଆଜି ଶବ ପହଞ୍ଚିବା ପରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଜୁନାଗଡ-କଲମପୁର ରାସ୍ତାରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ। ତେବେ ପ୍ରଶାସନର ହସ୍ତକ୍ଷେପରେ ଦିର୍ଘ ୪ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ସୂଚନା ଅନୁସାରେ, ଗତ ମାସ ୨୧ ତାରିଖ ଦିନ ମୃତ କୁରୁକ୍ଷେତ୍ର ବେମାଲ ଧାନ କାଟି ନିଜ ଘରକୁ ଫେରୁଥିବା ସମୟରେ ସ୍ଥାନୀୟ କଦଳୀଚୁଆଁ ଗ୍ରାମର ବ୍ଲକରାୟ ନାଏକଙ୍କ ବାଇକ ସହ ଧକ୍କା ହୋଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେତେବେଳେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏବଂ ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇ ଥିଲା। ସେଠାରେ ମଧ୍ୟ କୁରୁକ୍ଷେତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତ ନ ହେବାରୁ ଭୁବନେଶ୍ୱର ହାଇଟେକ୍ ମେଡିକାଲରେ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସୋମବାର ଦିନ କୁରୁକ୍ଷେତ୍ରର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆଜି ସେଠାରୁ ମୃତ ଶରୀର ଆଣି ପରିବାର ଲୋକେ ଆର୍ଥିକ ସହାୟତା ଦାବିରେ ଘର୍ଲା ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ କଲମପୁର ତହସିଲଦାର ସ୍ମରଣିକା ତୁଲ, କଲମପୁର ଥାନା ଅଧିକାରୀ ନୀଳାମ୍ବର ଜାନୀ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ପରେ ଦୁର୍ଘଟଣା କରିଥିବା ସଂପୃକ୍ତଙ୍କ ଭାଇ, ମୃତ ପରିବାର ଓ ସମ୍ପର୍କୀୟ ମାନଙ୍କ ସହିତ ଆଲୋଚନା କରି ଆର୍ଥିକ ସହଯୋଗ କରିବା ପାଇଁ ରାଜି ହେବାରୁ ରାସ୍ତା ଅବରୋଧ ହଟିଥିଲା। ପ୍ରାୟ ଚାରି ଘଣ୍ଟା ରାସ୍ତା ଅବରୋଧ ଫଳରେ ଜୁନାଗଡ-କଲମପୁର ଯାନ ବାହାନ ଚଲାଚଲ ଠପ୍ ହୋଇଥିଲା। ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତା ଅବରୋଧ ହଟିବା ପରେ ଯାତାୟତରେ ସ୍ଵାଭାବିକ ହୋଇଥିଲା।