ଆଜି ଲାଠି ଓ କାଳିଶୀ ସହ ବାହୁଡିବେ କାଳିଆ ଠାକୁର
କ୍ରାନ୍ତିକ୍ଷେତ୍ର (ସ୍ବତନ୍ତ୍ର) : ଶ୍ରୀକ୍ଷେତ୍ର ସମେତ ବିଶ୍ବର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଆସୁଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଅନେକ ସ୍ଥାନରେ ଶ୍ରୀମନ୍ଦିର ରିତି ନିତିକୁ ଅନୁସରଣ କରି ଘୋଷଯାତ୍ରା ପାଳିତ ହେଉଥିବାବେଳେ କଳାହାଣ୍ଡିର କେତେକ ଅଞ୍ଚଳରେ ଆଦି ସଂସ୍କୃତିର ଧାରାରେ ଅନୁଷ୍ଠିତ ହୋଇଥାଏ ଜଗତର ନାଥଙ୍କ ଏହି ମହାନ ଯାତ୍ରା। ଶ୍ରୀକ୍ଷେତ୍ରର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ସାରା ରାଜ୍ୟରେ ବ୍ୟାପ୍ତ ହୋଇଛି ଜଗନ୍ନାଥ ସଂସ୍କୃତି। ସେହି କ୍ରମରେ ଗଡ଼ଜାତ ଶାସନ ସମୟରୁ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିରମାନ ନିର୍ମାଣ ହୋଇ ପୂଜାର୍ଚ୍ଚନା ଓ ଯାନିଯାତ୍ରାଦି ପାଳିତ ହୋଇଆସୁଛି। ଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ରଥଯାତ୍ରା ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ରହିଛି। ତେବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗୋତମୁଣ୍ଡା ଗ୍ରାମର ବାହୁଡା ଯାତ୍ରା ଭିନ୍ନ ପରମ୍ପରା ଯୋଗୁଁ ସାରା ଓଡ଼ିଶାରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ। ଜଗନ୍ନାଥ ସଂସ୍କୃତି ଏହି ଅଞ୍ଚଳକୁ ଆସିବା ବହୁ ପୂର୍ବରୁ ଅଭିଚାର ତନ୍ତ୍ର ଧାରାରେ ଅନେକ ଦେବାଦେବୀ ପୂଜା ପାଉଥିଲେ। ପ୍ରାଚୀନ ଓ ବୈଦିକ ଧର୍ମଧାରାର ସମ୍ମିଶ୍ରଣ ଘଟାଇ ଅନେକ ଶିଦ୍ଧ ପୁରୁଷ ଜଗନ୍ନାଥ ସଂସ୍କୃତିକୁ ଏହି ମାଟିରେ ସୁଦୃଢ କରି ପାରିଥିଲେ। କଳାହାଣ୍ଡି ନାଗବଂଶୀ ମହାରାଜ ବ୍ରଜମୋହନ ଦେଓଙ୍କ ଶାସନକାଳ ୧୯୧୮ ମସିହାରୁ ଗୋତୋମୁଣ୍ଡାରେ ପାଳିତ ହେଉଛି ରଥଯାତ୍ରା।
ବାହୁଡ଼ା ଯାତ୍ରା ଦିନ ରଥକୁ ଦେବାଦେବୀଙ୍କ ଲାଠି, କାଳିଶୀ ଟାଣିବା ଏଠାକାର ଏକ ନିଆରା ପରମ୍ପରା। ଗୋତମୁଣ୍ଡା ଓ ପାଖାପାଖି ଗ୍ରାମ ଗୁଡିକର ଦେବାଦେବୀଙ୍କ ଲାଠି, କୁର୍ଷି, କାଳିଶୀ ସାମିଲ ହୋଇ ଶ୍ରୀଜୀଉଙ୍କର ରଥ ଟାଣିଥାନ୍ତି। ଏଭଳି ପ୍ରଥା ଅନୁସାରେ ଗୋତମୁଣ୍ଡା ଠାରେ ପ୍ରତି ବର୍ଷ ବାହୁଡା ଯାତ୍ରା ହେଉଥିବାରୁ ସୀମାନ୍ତ ଛତିଶଗଡ ରାଜ୍ୟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥାଏ। ସୂଚନା ଅନୁସାରେ, ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ରହିଛି ଗୋତମୁଣ୍ଡା ଗ୍ରାମ। ଏହି ଗ୍ରାମ ତଥା ଆଖପାଖ ଗ୍ରାମ ଗୁଡିକରେ ଅଧିକ ମାତ୍ରାରେ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ଶ୍ରୀକ୍ଷେତ୍ର ସମେତ ସାରା ରାଜ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଳିତ ହେଉଥିବାବେଳେ ଗୋତମୁଣ୍ଡା ଗ୍ରାମରେ ଏହି ଦିନ ମଣ୍ଡେଇ ଯାତ୍ର ହେଉଥିଲା। ଏହି ମଣ୍ଡେଇ ଯାତ୍ରାରେ ଗୋତମୁଣ୍ଡା ସହ ଆଖପାଖ ଗ୍ରାମ ଗୁଡିକର ଦେବା ଦେବୀମାନେ ସାମିଲ ହୋଇଥାନ୍ତି। କୁହାଯାଏ ୧୯୧୮ ମସିହାରେ ଗୋତମୁଣ୍ଡା ଗାଁର ତତ୍କାଳୀନ ଗୌନ୍ତିଆ ଭିମା ପୁଝାରୀ ଗାଁରେ ନଥିବା ସମୟରେ ବୈରାଗୀ ସଂପ୍ରଦାୟର ଜଣେ ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତମୁଣ୍ଡା ଆସି ଜଗନ୍ନାଥ ପ୍ରଭୂଙ୍କୁ ପୂଜା କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ଗୋତମୁଣ୍ଡାବାସୀ ଗୌନ୍ତିଆ ନଥିବା ସ୍ଥଳେ ଏହି ସବୁ କାର୍ଯ୍ୟ କରିବା ପାଇଁ ମନା କରିଦେଇଥିଲେ। ଯାହା ଫଳରେ ସମ୍ପୃକ୍ତ ବୈରାଗୀ ବ୍ୟକ୍ତି ଜଣକ ମହାପ୍ରଭୂ ଜଗନ୍ନାଥଙ୍କୁ ନେଇ ଅନ୍ୟତ୍ର ଚାଲିଯାଇଥିଲେ। ପରେ ଗୌନ୍ତିଆ ଶ୍ରୀପୁଝାରୀ ଗୋତମୁଣ୍ଡା ଗାଁକୁ ଫେରିବା ପରେ ଗ୍ରାମବାସୀ ଘଟଣା ସମ୍ପର୍କରେ ତାଙ୍କୁ ଜଣାଇଥିଲେ। ତା, ପରଦିନ ଗୈନ୍ତିଆ ସଂପୃକ୍ତ ବୈରାଗ ବ୍ୟକ୍ତିଙ୍କୁ ଖୋଜି ଆଣିବା ପାଇଁ ଗ୍ରାମବାସୀକୁ କହିଥିଲେ। ତେବେ ଗ୍ରାମର କିଛି ବ୍ୟକ୍ତି ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରି ଶେଷରେ ଛତିଶଗଡ ରାଜ୍ୟ ବରିଗାଁରେ ସଂପୃକ୍ତ ବୈରାଗୀ ବ୍ୟକ୍ତିଙ୍କୁ ପାଇ ଗୌନ୍ତିଆଙ୍କୁ ଖବର ଦେଇଥିଲେ। ପରେ ଗୌନ୍ତିଆଙ୍କ ଆଦେଶ କ୍ରମେ ସଂପୃକ୍ତ ବ୍ୟକ୍ତିକୁ ଗୋତମୁଣ୍ଡା ଆସିବା ପାଇଁ ସେମାନେ ଅନୁରୋଧ କରିଥିଲେ। ବୈରାଗୀ ବ୍ୟକ୍ତି ଜଣକ ଗୋତମୁଣ୍ଡା ପହଞ୍ଚି ଗୌନ୍ତିଆଙ୍କୁ ସାକ୍ଷାତ କରି ବିଗ୍ରହ ସ୍ଥାପନ କରି ପୂଜା କରିବା ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ଜଗନ୍ନାଥଙ୍କ ଘୋଷଯାତ୍ରା କାର୍ଯ୍ୟକ୍ରମ ସରିଯାଇ ଥିବାବେଳେ ବାହୁଡା ଯାତ୍ର ହୋଇ ନଥିଲା। ତେଣୁ ଗୋତମୁଣ୍ଡା ଗୌନ୍ତିଆ ବାହୁଡା ଦିନ ମହାପ୍ରଭୂୁଙ୍କ ବିଗ୍ରହ ଆଣିବା ପାଇଁ ଅନୁମତି ଦେଇଥିଲେ। ବାହୁଡା ଦିନ ବୈରାଗୀ ବ୍ୟକ୍ତି ଜଗନ୍ନାଥଙ୍କ ବିଗ୍ରହକୁ ଧରି ଗୋତମୁଣ୍ଡା ପହଞ୍ଚିଥିଲେ। ଏହି ସମୟରେ ଗୋତମୁଣ୍ଡା ଗ୍ରାମରେ ମଣ୍ଡେଇ ଯାତ୍ରା ଜାରି ରହିଥିଲା। ଗୋତମୁଣ୍ଡା ଗୌନ୍ତିଆ ମା’ ସର୍ବ ମଙ୍ଗଳା ଘାଟିମୁଣ୍ଡିଆଣୀ ଦେବୀଙ୍କ ନିମନ୍ତ୍ରଣ କ୍ରମେ ମଣ୍ଡେଇରେ ସାମିଲ ହୋଇଥିବା ଆଖପାଖ ଅଞ୍ଚଳର ସମସ୍ତ ଦେବା ଦେବୀଙ୍କ ଲାଠି, କାଳିଶି ଓ ଦେବୀ ବାଜା ବଜାଇ ଜଗନ୍ନାଥ ମହାପ୍ରଭୁକୁ ସ୍ୱାଗତ କରି ଗ୍ରାମକୁ ପାଛୋଟି ନେଇଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ପରମ୍ପରାରେ ବାହୁଡା ଯାତ୍ରା ହୋଇ ଆସୁଛି ବୋଲି ଗୋତମୁଣ୍ଡା ଗ୍ରାମର ବରିଷ୍ଠ ନାଗରିକ ମାନେ ପ୍ରକାଶ କରିନ୍ତି।