କାର ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି-ମୋଟେର ମଝି ରାସ୍ତାରେ ଗୁରୁବାର କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକରେ ଥିବା ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ଗୁରୁତର ଜଣକ ନର୍ଲା ବ୍ଳକ କେର୍ବାଣ୍ଡି ଗ୍ରାମର ଭାରତ ଭୁଷଣ ନାଏକ ବୋଲି ଜଣାପଡ଼ିଛି। ସୂଚନା ଯେ’ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ହାଇସ୍କୁଲରେ ଶିକ୍ଷକ ଥିବା ଭାରତ ଭୁଷଣ ଆଜି ସେଠାରୁ ବାଇକ୍ ଯୋଗେ ନିଜ ଗାଁ କେର୍ବାଣ୍ଡିକୁ ଫେରୁଥିବାବେଳେ ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି-ମୋଟେର ମଝିରେ ଥିବା ରାଇସ ମିଲ ନିକଟରେ ତାଙ୍କ ବାଇକ୍ କୁ ମୋଟେର ପଟୁ ଦ୍ରୁତଗତିରେ ଆସୁଥିବା ଏକ କାର (ଓଡି-୦୮-କେ ୭୩୧୩) ନମ୍ବର ଗାଡ଼ି ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ଫଳରେ ବାଇକ୍ ଆରୋହୀ ଶିକ୍ଷକ ଭାରତ ଭୁଷଣ ଛିଟକି ପଡି ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା କାର ଛାଡ଼ି ଡ୍ରାଇଭର ଫେରାର ମାରିଥିଲା। ଗୁରୁତର ଅବସ୍ଥାରେ ପଡିଥିବା ଶିକ୍ଷକଙ୍କୁ ରାସ୍ତାଦେଇ ଯାତାୟାତ କରୁଥିବା କିଛି ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଗୁରୁତର ଭାରତ ଭୁଷଣଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। କୋକସରା ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।