କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଦିଲ୍ଲୀରେ ଦେଶର ୭୩ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଓ ବରଗଡ଼ର ରବିରତନ ସାହୁ ଓ ତାଙ୍କ ସାଥୀଙ୍କ ମିଶ୍ରଣରେ ଅନୁଷ୍ଠିତ ଫିଉଜନ ରେ ଡାଲଖାଇ ନୃତ୍ୟରେ ସମୁଦାୟ ୫ ହଜାର କଳାକାର ଏକା ସାଥିରେ ସମ୍ବଲପୁରୀ ଡାଲଖାଇ ନୃତ୍ୟ ପରିବେଷଣ କରି ଗିନିଜ ବୁକ ଅଫ ରେକର୍ଡରେ ନିଜ ନାମ ଲିପିବଦ୍ଧ କରିଥିଲେ।ସେହି ୫ ହଜାର କଳାକାର ମାନଙ୍କ ମଧ୍ୟରେ କେସିଙ୍ଗା ସାଂସ୍କୃତିକ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ କଳାକାର ସେହି ବିଶ୍ଵ ରେକର୍ଡ ନୃତ୍ୟ ରେ ସାମିଲ ହୋଇ ନିଜ ଅନୁଷ୍ଠାନ ସମେତ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ସେହି ୬୦ ଜଣ ଲୋକନୃତ୍ୟ କଳାକାର ମାନଙ୍କୁ ଶୁକ୍ରବାର ଦିନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ନୂତନ ସଭାଗୃହ ଠାରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏଥିପାଇଁ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପି ଡି ଦୟାମୟ ପାଢ଼ୀ ଓ ଯୋଗ ଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆଇ ଏ ଏସ ପ୍ରବେଶନର ଅନୀମେସ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ତହସିଲଦାର ପ୍ରଶାନ୍ତି ପ୍ରଧାନ,ବିଡ଼ିଓ ଜନ୍ମେଜୟ ସ୍ୱାଇଁ,କେସିଙ୍ଗା ସିଟିଜନ ଫୋରମ୍ ସଭାପତି ଡାକ୍ତର ହେମସାଗର ସାହା ଓ ଅନୁଷ୍ଠାନ ର ସମ୍ପାଦକ ଅକ୍ଷୟ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନେ ସମସ୍ତ କଳାକାର ମାନଙ୍କୁ ପୁଷ୍ପଗୁଛ ଗାମୁଛା ଓ ସମ୍ମାନ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ନଗରପାଲ ରାମକୁମାର ଜୈନ, ସରିତା ସିନ୍ଦୂର, ଅନୁଷ୍ଠାନ ର କୋଷାଧ୍ୟକ୍ଷ ବିକ୍ରମ ବାରିକ, ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ରୁବୀ ଚୌଧୁରୀ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ଅକ୍ଷୟ ଦାସ।