କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବେଆଇନ ଭାବେ କେନ୍ଦୁପତ୍ର ନେଉଥିବା ଏକ ମିନି ଟ୍ରକକୁ କେନ୍ଦୁପତ୍ର ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ଗାଡ଼ିରେ ଥିବା ଜଣେ ବ୍ୟକ୍ତିକୁ ଅଟକ ରଖିଥିବାବେଳେ ଡ୍ରାଇଭର ଫେରାର ହୋଇଥିଲା ଜଣାପଡିଛି। ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ କୋକସରା ବ୍ଲକ ଗୋତମୁଣ୍ଡା, ପିପଲଝାପରଠାରୁ କେନ୍ଦୁପତ୍ର ବୋଝେଇ କରି ବିଜୁ ଏକ୍ସପ୍ରେସୱେରେ ଏକ ୧୧୦୯ ମିନି ଟ୍ରକ ଆସୁଥିଲା। ଏହି ସମୟରେ ବଡକେନ୍ଦୁଗୁଡା ବଜାର ପଡିଆ ନିକଟରେ ଉକ୍ତ ଗାଡ଼ିକୁ ସନ୍ଦେହ କରି କେନ୍ଦୁପତ୍ର ସିଜନାଲ କର୍ମଚାରୀ ମାନେ ଅଟକାଇ କାଗଜପତ୍ର ମାଗିଥିଲେ। ତେବେ ଡ୍ରାଇଭର କୌଣସି କାଗଜପତ୍ର ଦେଖାଇ ନପାରି ସେଠାରୁ ଫେରାର ମାରିଥିଲେ। ଏହାପରେ ବନବିଭାଗ ଓ କେନ୍ଦୁପତ୍ର ବିଭାଗର କର୍ମଚାରୀମାନେ ପହଞ୍ଚି ଘଟଣା ସ୍ଥଳରୁ ପତ୍ର ବୋଝେଇ ଗାଡିଟିକୁ ବିଜମରା ସେଣ୍ଟ୍ରାଲ ଗୋଦାମକୁ ନେଇଥିଲେ। ଧର୍ମଗଡ଼ ଦକ୍ଷିଣ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କାଉଁର ପହଞ୍ଚି ଗାଡିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିଲେ। ତେବେ ଗାଡି ହେଲପରକୁ ଧର୍ମଗଡ଼ ରେଞ୍ଜ ଅଫିସରେ ଅଟକ ରଖାଯାଇଥିବା ପଚରାଉଚୁରା କରାଯାଉଥିବା ଜଣାପଡିଛି। ସୂଚନା ଯେ’ ଗତ କିଛିବର୍ଷ ହେବ ଏହି ଅଞ୍ଚଳରୁ କେନ୍ଦୁପତ୍ର କ୍ରୟ କରି ସ୍ଥାନୀୟ କିଛି ଦଲାଲ ରାଜ୍ୟ ବାହାରକୁ ବେଆଇନ ଭାବରେ କେନ୍ଦୁପତ୍ର ଚୋରା ଚାଲାଣ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ତଥାପି କେନ୍ଦୁପତ୍ର ବିଭାଗ ପକ୍ଷରୁ ସେମାନଙ୍କ ପ୍ରତି କୈାଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିଲା। ଏହା ଫଳରେ ସ୍ଥାନୀୟ କିଛି ଲୋକଙ୍କୁ ହାତ କରି କେନ୍ଦୁପତ୍ର ଚାଲାଣ କରି ମାନେ ମାଲେମାଲ ହୋଇଆସୁଛନ୍ତି। ଅନ୍ୟପଟେ ଏମାନଙ୍କ ପାଇଁ କେନ୍ଦୁପତ୍ର ବିଭାଗ କର୍ମଚାରୀମାନେ କାମଧନ୍ଦା ହରାଉଥିବା ବେଳେ ସରକାରୀ ସ୍ତରରେ ମଧ୍ୟ କେନ୍ଦୁପତ୍ର କ୍ରୟ କମି ଯାଉଥିବାରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ସରକାରଙ୍କୁ ହରାଇବାକୁ ପଡୁଛି। ଘଟଣା ସ୍ଥଳରେ ଏସିଏଫ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଚୋରା ଚାଲାଣରେ ଯେଉଁମାନେ ସାମିଲ ରହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।