ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଚୁମକି ସାହୁ ୫୨୮ (୮୮%) ନମ୍ବର ମାର୍କ ରଖି ଥୁଆମୂଳ ରାମପୁର ବ୍ଲକ ଟପ୍ପର ହୋଇଛନ୍ତି। ବ୍ଲକର ଅଡ୍ରୀ ହାଇସ୍କୁଲର ଏହି ଛାତ୍ରୀ ଜଣକ ନିଜ ଗାଁ ତଥା ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ ପିତା ଘନଶ୍ୟାମ ସାହୁ ଏବଂ ମାତା ମଦନା ଝିଅ ଚୁମକିର ଏହି ସଫଳତାକୁ ନେଇ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି।ଏହି ସଫଳତା ପଛରେ ବାପା ମାଆ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଥିବା ବେଳେ ଅନୁରୂପ ଉଦ୍ୟମ ତଥା ପରିଶ୍ରମ ହିଁ ଏହି ସଫଳତା ଆଣିଦେଇଛି ବୋଲି ଚୁମକି ମତ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବା ଲକ୍ଷ୍ୟ ରଖିଥିବା କହିଛନ୍ତି। ସେହିପରି ଆଉ ଜଣେ ଛାତ୍ରୀ ବଡଛତ୍ରଙ୍ଗ ହାଇସ୍କୁଲର ଛାତ୍ରୀ ତଥା ବିରିକୋଟ ଗ୍ରାମର ରାମଚନ୍ଦ୍ର ନାଏକ ଏବଂ ପୁଷ୍ପାଞ୍ଜଳି ନାଏକଙ୍କ ଝିଅ ହିମାଦ୍ରୀ ନାଏକ ୫୧୭ ନମ୍ବର ମାର୍କ ରଖି ବ୍ଲକର ଦ୍ବିତୀୟ ଟପ୍ପର ଭାବେ କୃତିତ୍ବ ଅର୍ଜନ କରିଛନ୍ତି। ଯାହାକୁ ନେଇ ପରିବାରର ତଥା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଥୁଆମୂଳ ରାମପୁର ବ୍ଲକର ଅଡ୍ରୀ ହାଇସ୍କୁଲର ମାଟ୍ରିକ ପରୀକ୍ଷା ଫଳ ଉତ୍ତମ ରହିଛି।ଉକ୍ତ ହାଇସ୍କୁଲର ୫୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୧ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ଏ-୨ ଗ୍ରେଡ୍ ପାଇଥିବା ବେଳେ ୨୯ ଜଣ ବି-୧,ବି-୨ ରେ ୧୨, ଏବଂ ସି ଗ୍ରେଡ୍ ରେ ୨ ଜଣ ପାସ୍ ହୋଇଛନ୍ତି। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମର ଫଳ ସ୍ବରୂପ ବିଦ୍ୟାଳୟ ଏହି ସଫଳତା ପାଇଛି ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କହିଥିବା ବେଳେ ବିଦ୍ୟାଳୟ ପାଇଁ ଏହା ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି।