ଝରିଗାଁ/ଝରିଗାଁ(ଭୋଦେବ ଗଉଡ) : ରେଞ୍ଜ ମୋହରା ସେକ୍ସନ ଅଧୀନରେ ଥିବା ଦଲବେଡା ଅଧିନସ୍ଥ କାଦୋପାଣି ଗ୍ରାମର ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା କରିଦେବା ଆଳରେ ଜାଲିଆତି ରସିଦ ଦେଇ ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ତତ୍କାଳୀନ ମୋହରା ଫରେଷ୍ଟର ପ୍ରଦୀପ ଦାସଙ୍କୁ ବିଭାଗୀୟ ତତନ୍ତ ପରେ ନିଲମ୍ବିତ କରାଯାଇଛି। ଏନେଇ ବିଭି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତପ୍ତରତା ଦେଖାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀଙ୍କ ପତ୍ର ସଂଖ୍ୟା ୧୯୦ ତା୨୦/୦୮/୨୦୨୫ରେ ଫରେଷ୍ଟର ପ୍ରଦୀପ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ ମୋହାରା ତତ୍କାଳୀନ ଫରେଷ୍ଟର ପ୍ରଦୀପ କୁମାର ଦାଶ କାଦୋପାଣି ଗ୍ରାମର ୧୭ଜଣ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା କରିଦେବା ଆଳରେ ୫ ରୁ ୧୦ ହଜାର ଟଙ୍କା ନେଇ ଚଞ୍ଚକତା କରି ଖଣ୍ଡିଏଁ କୋର୍ଟ ଷ୍ଟାମ୍ପ ଓ ରସିଦ ଦେଇ ଫରେଷ୍ଟର ସେଠାରୁ ରାଇଘର ରେଞ୍ଜକୁ ବଦଳି ହୋଇ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ହିତାଧିକାରୀମାନେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ଝରିଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ଆସି ରେଞ୍ଜରଙ୍କ ଜରିଆରେ ଜିଲ୍ଲା ବନ ସୁରକ୍ଷା ଅଧିକାରୀ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଦେଇଥିଲେ। ଅଭିଯୋଗ କୁ ଭିତ୍ତିକରି ଡିଏଫଓ ଶୁଭେନ୍ଦୁ ବେହେରା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସିଏଫ୍ ସୁବାସ ଚନ୍ଦ୍ର ଖୁଣ୍ଟିଆ ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଆଧାରରେ ଜାଲିଆତି ଓ ଟଙ୍କା ଆତ୍ମସାତ ଅଭିଯୋଗରେ ଡିଏଫଓ ଶ୍ରୀବେହେରା ଫରେଷ୍ଟର ପ୍ରଦୀପ ଦାସଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।