ବସଷ୍ଟାଣ୍ଡ ନିର୍ମାଣ ଲାଗି ଜବରଦଖଲ ଉଛେଦ ଆରମ୍ଭ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ସଦର ମହକୁମା ଠାରେ ବସଷ୍ଟାଣ୍ଡ ନିର୍ମାଣ ଲାଗି ଜମି ଚିହ୍ନଟ ହୋଇଛି, ହେଲେ ଜାଗା ଜବର ଦଖଲ ପାଇଁ ନିର୍ମାଣରେ ବାଧା ଉପୁଜିଛି। ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଜବର ଦଖଲ ଉଛେଦ ପାଇଁ ଚେଷ୍ଟା କରାଯାଇଛି। ବିବାଦ ସୃଷ୍ଟି ହେବାରୁ ଉଚ୍ଛେଦ ପ୍ରକ୍ରିୟା ଆଗକୁ ବଢିପାରୁ ନଥିଲା। ଏଣୁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଦିର୍ଘ ୨ ବର୍ଷରୁ ଅଧିକ ହେବ ଅଟକି ରହିଛି। ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମବାସୀ ଓ କୋକସରା ସଚେତନ ମଞ୍ଚ ପକ୍ଷରୁ ଜବର ଦଖଲ ଉଛେଦ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଇ ଆସୁଥିଲା। ଗୁରୁବାରଠାରୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜଗା ଜବର ଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

ମାଜିଷ୍ଟ୍ରେଟ ଦାୟିତ୍ବରେ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆଗକୁ ବଢିଛି। ଉଛେଦ ସମୟରେ ଓଏସ୍ଆରଟିସି ମ୍ୟାନେଜର ସ୍ବଦେଶ କୁମାର ପାତ୍ର, ପୋଲିସ ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜର ମିତାଲି ମଧୁସ୍ମିତା ରାଉତ ରାୟ, ପୋଲିସ ହାଉସିଂ ବୋର୍ଡ ଯନ୍ତ୍ରୀ ତରୁଣ କୁମାର ଭୋଇ, ଡେପୁଟି କଲେକ୍ଟର ମନ୍ମଥ ବେହେରା, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, କୋକସରା ରାଜସ୍ବ ନିରୀକ୍ଷିକା ମମତା ସାଏ, ଓଏସ୍ଆରଟିସି ଆକାଉଣ୍ଟାଣ୍ଟ ଅଭିଜିତ ଦାସ, କୋକସରା ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘ, କୋକସରା ଥାନା ଏଏସ୍ଆଇ ମମତା ଶବର ସମେତ କୋକସରା ସଚେତନ ମଞ୍ଚର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ସୂଚନା ଯେ’ ଏହି ବସଷ୍ଟାଣ୍ଡ ନିର୍ମାଣ ପୋଲିସ ହାଇସିଂବୋର୍ଡ ଦ୍ବାରା ହେଉଥିବାବେଳେ ଏହାର ଅନୁଦାନ ୬ କୋଟି ୬୯ ଲକ୍ଷ୍ୟ, ୮୦ ହଜାର ୯୨୩ ଟଙ୍କା ମଞ୍ଜୁରୀ ହୋଇଛି। ଏହାକୁ ଠିକା ସଂସ୍ଥା ଆରବିଏସର ହାତକୁ ନେଇନଥିବା ଜଣାପଡିଛି। ଏହି ବସଷ୍ଟାଣ୍ଡ ନିର୍ମାଣ ହେଲେ କୋକସରା ବ୍ଳକର ୨୨ ଗୋଟି ପଞ୍ଚାୟତର ଲୋକେ ସୁବିଧାରେ ବସସେବା ପାଇବା ସହ ଦୂରଦୂରାନ୍ତରୁ ଯିବାରେ ସହଜ ହେବାସହ ଅଞ୍ଚଳର ଅନେକ ଲୋକ ଉପକୃତ ହେବେ।