ତୁନଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା

୩ ପଡାବାସୀଙ୍କ ପାଇଁ ଗୋଟିଏ ନଳକୂପ ଭରସା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମ ପଞ୍ଚାୟତ ଅଧିନ ତୁନଗାଁରେ ପାନୀୟ ଜଳ ସଂକଟ ଦେଖାଦେଇଛି। ଫଳରେ ପାଣି ମୁନ୍ଦେ ପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି।

        ଗ୍ରାମର କନ୍ଦାବୁଟୁରା ଯିବା ଛକରେ ଏକ ସୈାର ଚାଳିତ ପାନୀୟ ଜଳ ପ୍ରକଳ୍ପ ରହିଛି। ଏହି ପାନୀୟ ଜଳ ପ୍ରକଳ୍ପ ଉପରେ ତୁନଗାଁ ଗ୍ରାମର ପଟେଲପଡା, ରଣାପଡା ଓ ଜଗନ୍ନାଥ ମନ୍ଦିରପଡ଼ାର ପ୍ରାୟ ୭ଶହ ଲୋକେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏହି ପ୍ରକଳ୍ପରୁ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁ ନାହିଁ। ଘଣ୍ଟାଏ ଦୁଇ ଘଣ୍ଟା ଚାଲିଲେ ପାଣି ନିଅଣ୍ଟ ହେଉଛି। ଏମିତିକି ପାଣିରୁ ପୋକ ମଧ୍ୟ ବାହାରୁଛି, ଏଣେ ନିକଟରେ ଥିବା ନଳକୂପ ମଧ୍ୟ କାମ କରୁନାହିଁ। ଯାହା ଫଳରେ ଗାଁରେ ଘୋର ପାନୀୟ ଜଳ ସଂକଟ ଦେଖାଦେଇଛି। ଏହି ତିନୋଟି ପଡ଼ାବାସୀ ଖରା, ବର୍ଷା ସବୁ ସମୟରେ ଏହି ପାନୀୟ ଜଳ ପ୍ରକଳ୍ପ ଉପରେ ଭରସା କରିଥାନ୍ତି। ଅନ୍ୟପଟେ ପାନୀୟ ଜଳ ସମସ୍ୟା ଦିଗରେ ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା କେହି ଗୁରୁତ୍ବ ଦେଉ ନଥିବା ଗ୍ରାମର ସରସ୍ପତୀ ପଟେଲ, ଡାଳିମ୍ବ ରାଉତ, ମୁକ୍ତା ମଞ୍ଜୁରୀ ନାଏକ, ଇନ୍ଦ୍ରା ପୁଝାରୀ ସମେତ ମହିଳା ମାନେ ଅଭିଯୋଗ କରିଛନ୍ତି। ଆଗକୁ ଜଳ ସମସ୍ୟାର ସମାଧାନ କରିବା ସହ ନିକଟରେ ଥିବା ନଳକୂପକୁ ମରାମତି କରିବା ପାଇଁ ଦାବି କରିଛନ୍ତି। ଏବଂ ଖରା ଦିନ ପାଇଁ ଟେଙ୍କର ଯୋଗେ ପାଣି ଯୋଗାଇଦେବାକୁ ଗ୍ରାମର ଭଗବାନ ପଟେଲ, ଚମାର ପଟେଲ, ମଣ୍ଟୁ ନାଏକ, ପଦ୍ମମୁଖ ପଟେଲ, ହର ପ୍ରସାଦ ପୁଝାରୀ, ଅଭି ନାଏକ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି। ନଚେତ୍ ଆଗକୁ ଏହି ୩ ପଡାବାସୀଙ୍କ ପାଇଁ ଆହୁରି ଉତ୍କଟ ଜଳ ସମସ୍ୟା ଦେଖା ଦେବାର ଆଶଂକା ରହିଛି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।