ଛତ୍ରପୁର/କ୍ରାନ୍ତିକ୍ଷେତ୍ର : (ରଞ୍ଜିତ ପ୍ରଧାନ) : ଯୁବ ପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ “ସାଂସଦ ଖେଳ ମହୋତ୍ସବ”ର ଉଜ୍ଜାପନି ସମାରୋହ ଉତ୍ସାହ ଓ ଉଲ୍ଲାସର ସହିତ ସମ୍ପନ୍ନ ହୋଇଛି । ଏହି ଉଜ୍ଜାପନି ସମାରୋହରେ ଆୟୋଜିତ ବ୍ୟାଡମିଟନ ପ୍ରତିଯୋଗିତାରେ ଛତ୍ରପୁର ମହିଳା ମହାବିଦ୍ୟାଳୟର ସ୍ନାତକ ଶେଷ ବର୍ଷର ଛାତ୍ରୀ ସ୍ମୃତି ରାଣୀ ପଟ୍ଟନାୟକ ଉତ୍କୃଷ୍ଟ ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇଛନ୍ତି ।
ପ୍ରତିଯୋଗିତା ସମୟରେ ସ୍ମୃତି ରାଣୀ ପଟ୍ଟନାୟକ ନିଜ ଦକ୍ଷତା, ଶିଷ୍ଟାଚାର ଓ ଦୃଢ଼ ମନୋବଳ ଦ୍ୱାରା ସମସ୍ତଙ୍କ ମନୋଯୋଗ ଆକର୍ଷିତ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ଉଜ୍ଜାପନି ସମାରୋହ ମଞ୍ଚରେ ତାଙ୍କୁ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ,ଦିଗପହଣ୍ଡି ବିଧାୟକ ତଥା ଅଭିନେତା ଡକ୍ଟର ସିଦ୍ଧାନ୍ତ ମହାପାତ୍ର,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନସାମନ୍ତ, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତିଭାସନ ପ୍ରମୁଖ ମେଡେଲ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଏହି ଅବସରରେ ଉପସ୍ଥିତ ଅତିଥିମାନେ କହିଥିଲେ ଯେ “ସାଂସଦ ଖେଳ ମହୋତ୍ସବ” ପରି କ୍ରୀଡ଼ା ଆୟୋଜନ ଯୁବ ପିଢ଼ିଙ୍କୁ ଶାରୀରିକ ଓ ମାନସିକ ଭାବେ ସୁଦୃଢ଼ କରିବା ସହ ତାଙ୍କ ମଧ୍ୟରେ ନେତୃତ୍ୱ, ଶିଷ୍ଟାଚାର ଓ ଆତ୍ମବିଶ୍ୱାସ ଗଢ଼ି ତୋଳେ। ବିଶେଷକରି ମହିଳା ଖେଳାଳିମାନଙ୍କୁ ଏପରି ମଞ୍ଚ ମିଳିବା ତାଙ୍କ ସ୍ୱପ୍ନ ପୂରଣରେ ସହାୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ସ୍ମୃତି ରାଣୀ ପଟ୍ଟନାୟକଙ୍କ ଏହି ସଫଳତା ପାଇଁ ତାଙ୍କ ପରିବାରସଦସ୍ୟ, ଶିକ୍ଷକମଣ୍ଡଳୀ, ସହପାଠୀ ଓ କ୍ରୀଡ଼ାପ୍ରେମୀମାନେ ଖୁସି ପ୍ରକାଶ କରିଥିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା କେବଳ ତାଙ୍କ ପାଇଁ ନୁହେଁ, ବରଂ ଛତ୍ରପୁର ମହିଳା ମହାବିଦ୍ୟାଳୟ ଓ ସମ୍ପୂର୍ଣ୍ଣ ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି ସମସ୍ତେ କହିଛନ୍ତି।
ଉଜ୍ଜାପନି ସମାରୋହ ଶେଷରେ ସ୍ମୃତି ରାଣୀ ପଟ୍ଟନାୟକଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଆଗାମୀ ଦିନରେ ରାଜ୍ୟ ଓ ଜାତୀୟ ସ୍ତରରେ ଆହୁରି ସଫଳତା ଲାଭ କରିବା ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ।


