ମୈଦଲପୁର ଲେମ୍ପସରେ ଧାନ କିଣାରେ ଅଚଳାବସ୍ଥା

  • ମଣ୍ଡିରେ ଶହ ଶହ ଧାନ ବସ୍ତା ପଡ଼ି ରହିଛି,
  • ମଣ୍ଡି ଆରମ୍ବକୁ ଦୁଇ ମାସ ହେଲା ସ୍ଵାଭାବିକ ସ୍ଥିତିକୁ ଫେରିବା ନାଁ ଧରୁନି 

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର : ନବରଙ୍ଗପୁର ଜିଲ୍ଲାରେ ଡିସେମ୍ବର ମାସରୁ ଧାନ ମଣ୍ଡି ଆରମ୍ଭ ହେଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଧାନ କିଣାରେ ସ୍ଵାଭାବିକ ହେବା ନାଁ ଧରୁନି ଓ ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ପାପଡାହାଣ୍ଡି ବ୍ଲକ ମୈଦଲପୁର ଲେମ୍ପସ ଅଧିନ ମାଝୀଗୁଡା, ମଇଦଳପୁର, ମାନିଗାଁ ଓ ତୁମ୍ଭର୍ଲା ମଣ୍ଡି ଗୁଡ଼ିକ ରୁ ଚାଷୀ ଧାନ ଆଣି ପ୍ରବଳ ଶୀତରେ ରାତି ଅନିଦ୍ରା ରହି ଜଗି ରହୁଛନ୍ତି।  ବାରମ୍ବାର ଚାଷୀଙ୍କୁ ପ୍ରତିଶ୍ରୁତି ଦିଆଯାଉଥିଲେ ହେଁ ମଣ୍ଡିରୁ ଧାନ ଉଠୁନି। ଧାନ କିଣାରେ ସ୍ଵାଭାବିକ ସ୍ଥିତି ଫେରୁ ନଥିବାରୁ ଗତ ଦିନ ରେ ଜିଲ୍ଲାବାରି ଆନ୍ଦୋଳନ ମଧ୍ୟ କରିଥିଲା ବିଜେଡ଼ି କିନ୍ତୁ ତାହା ମଧ୍ୟ ଫଳ ଶୂନ। ତେବେ ଚାଷୀମାନେ ପ୍ରଶାସନ କିମ୍ବା ନେତା ମନ୍ତ୍ରୀଙ୍କୁ ଦୁଃଖ ଜଣାଇବା ପରେ ମଧ୍ୟ ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଉପରୋକ୍ତ ମଣ୍ଡି ଗୁଡିକରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି। ସପ୍ତାହେ ଦୁଇ ସପ୍ତାହ ପରେ ଗୋଟେ ଗୋଟେ ମଣ୍ଡି ରୁ ମିଲର୍ ଙ୍କୁ ସୁହାଇଲା ଭଳି କଟଣୀ ଛଟନି ହେଲେ ଉଣା ଅଧିକେ ଧାନ ଉଠୁ ଥିବା ଦେଖିବାକୁ ମିଳୁଛି। ମାଝୀଗୁଡା ମଣ୍ଡିରେ ସେହିପରି ୩ ଦିନ ହେଲା ହଜାର ହଜାର ଧାନ ବସ୍ତା ପଡ଼ିରହିଛି କିନ୍ତୁ ଉଠିବାର ନାଁ ଧରୁନି। ଅନେକ ଚାଷୀଙ୍କ ଟକେନ ମଧ୍ୟ ଲେପ୍ସ ହେବାକୁ ବସିଲାଣି। ମଣ୍ଡିରେ ଲେମ୍ପସ କର୍ମଚାରୀ କିମ୍ବା ମିଲର୍ ଙ୍କ ଦେଖା ସାକ୍ଷାତ ମିଳୁନି। ପ୍ରତିବର୍ଷ ଏଭଳି ସମସ୍ୟା ଦେଖା ଦେଉଥିଲେ ହେଁ ସ୍ଥାୟୀ ସମାଧାନ ହୋଇପାରୁନି। ବର୍ଷ ତମାମ ଚାଷୀ ଅକ୍ଳାନ୍ତ ପରିଶ୍ରମ କରି ଧାନ ଅମଳ କରିବା ପରେ ମଣ୍ଡିରେ ଧାନ ରଖି ଜଗି ରହୁଛନ୍ତି। ମଣ୍ଡିରୁ ଧାନ ଉଠାଇବା ନେଇ ବାରମ୍ବାର ଚାଷୀ ଏବଂ ଲ୍ୟାମ୍ପ୍ସ କର୍ମଚାରୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରୁନି। ମିଲରଙ୍କ ସହିତ ଆଲୋଚନା ପ୍ରକ୍ରିୟା ଜାରି ରହିଥିବା ଲ୍ୟାମ୍ପ୍ସ ପକ୍ଷରୁ କୁହାଯାଉଛି। ଅନ୍ୟପଟେ ଯଦି ମଣ୍ଡିରେ ପଡିରହିଥିବା ଧାନ ଶୀଘ୍ର  ନ ଉଠିଲେ ଓ ଆଗାମୀ କିଛି ଦିନ ଭିତରେ ମଣ୍ଡି ସ୍ଵାଭାବିକ ସ୍ଥିତିକୁ ନ ଫେରିଲେ ଅଞ୍ଚଳର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ନିମନ୍ତେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଟାର୍ଗେଟ ଆଳରେ ମିଲରସ ଙ୍କ ବାହାନା ନକହିବା ଭଲ । ଟାର୍ଗେଟକୁ ଆଳ କରି ଟାର୍ଗେଟ ନାହିଁ କହି ମଣ୍ଡି ରୁ ଧାନ ନଉଠେଇ ଦିନପରେ ଦିନ ବିତେଇ ନେଇଛନ୍ତି ଓ କଟଣି ଛଟନି ବାହାନାରେ ମିଲରସଙ୍କୁ ସୁହାଇଲା ଭଳି କୁଣ୍ଟାଇଲ ପିଛା  ୧୦ ରୁ ୧୨ କେଜି ଲାଗିଲେ ହିଁ ଉଠେଉଛନ୍ତି ମିଲର୍। ମିଲରଙ୍କ ଉପରେ ନିର୍ଭର କରୁଛି କେତେ କେଜି କଟାଯିବ। ଏଥିଲାଗି ବିଭିନ୍ନ ମଣ୍ଡିରେ କଟନିଛଟନିର ପରିମାଣ ଅଲଗା ଅଲଗା ରହିଛି। ସବୁ ଜାଣି ଚୁପ୍ ବସିଛି ପ୍ରଶାସନ। ମଣ୍ଡି ଆରମ୍ଭ କୁ ଦୁଇ ମାସ ହେବାକୁ ବସିଲାଣି ହେଲେ ମଧ୍ୟ ଚଳିତ ବର୍ଷ ଧାନ କିଣାରେ ସ୍ଵାଭାବିକ ସ୍ଥିତି କୁ ଫେରିବା ନାଁ ଧରୁନି। ଯାହାକୁ ନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି ଚାଷୀ। ତେବେ ସବୁ ଜାଣିଶୁଣି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନେତା ମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି, ତାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ଦେଇ ମଣ୍ଡି ବ୍ୟବସ୍ଥାକୁ ସ୍ଵାଭାବିକ ସ୍ଥିତିକୁ ଫେରେଇ ଆଣିବା ସହ କଟଣି ଛଟନି ବନ୍ଦ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି।