ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାର ଏକ ପ୍ରମୁଖ ତଥା ଜିଲ୍ଲା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରୁଥିବା ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳ ପାଇଁ ବିକାଶ ଅପହଞ୍ଚ ହୋଇଛି। ପ୍ରତ୍ୟକ ଅଞ୍ଚଳ ବିକାଶ କ୍ଷେତ୍ରରେ ଆଗକୁ ଯାଉଥିବାବେଳେ ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳ ସମୟ କ୍ରମେ ବିକାଶ କ୍ଷେତ୍ରରେ ବିପରତ ଦିଗରେ ଗତି କରୁଥିବା ଅଭିଯୋଗ ହେଉଛି। ଇନ୍ଦ୍ରାବତୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା କିନ୍ତୁ ତାହା ବିପରୀତ ଦିଗରେ ଗତି କରି ଆଜି ସାମାନ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ୧୨ କିଲୋମିଟର ତେନ୍ତୁଳିଖୁଣ୍ଟି ଭରଷା ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବରେ ଅଞ୍ଚଳ ବିପରୀତ ଦିଗରେ ଗତି କରୁଛି। ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ। ପ୍ରତି ପଂଚାୟତରେ ଉଚ୍ଚ ବିଦ୍ୟାଳୟ ବାଧ୍ୟତାମୂଳକ ବୋଲି ସରକାର କହୁଥିବା ବେଳେ ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟକୁ ଛାଡି ପଂଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ। କିନ୍ତୁ ଥିବା ବିଦ୍ୟାଳୟକୁ ମଧ୍ୟ ଆବଶ୍ୟକ ଶିକ୍ଷକ ଯୋଗାଉନାହିଁ ଶିକ୍ଷା ବିଭାଗ। ଶିକ୍ଷା, ସ୍ୱାସ୍ଥ୍ୟ ପରେ ଇନ୍ଦ୍ରାବତୀ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରତାରିତ ହୋଇଛି।ପ୍ରାକୃତିକ ସ୍ଵନ୍ଦର୍ଯ୍ୟ ଭରା ଅଞ୍ଚଳ ଆଜି ପର୍ଯ୍ୟଟକ ଶୂନ୍ୟ ହୋଇଛି। ମାଳ ମାଳ ନେତା, ସରକାରୀ ବାବୁ, ଜିଲ୍ଲା ପ୍ରଶାସନର ଅଧିକାରୀ ବୃନ୍ଦ ଘନ ଘନ ଇନ୍ଦ୍ରାବତୀ ଗ୍ରସ୍ତ କରି ପ୍ରତିଶୃତିର ପାହାଡ଼ ଦେଖାଉଥିବା ବେଳେ ବିକାଶ କିନ୍ତୁ ସାତ ସପନ ହୋଇଥିବା ଚର୍ଚ୍ଚା ହେଉଛି। ଇନ୍ଦ୍ରାବତୀର ଦେଓପାଲି ଠାରେ ଏକ ଜାତୀୟସ୍ତର ପର୍ଯ୍ୟଟନ କ୍ଷେତ୍ର ନିର୍ମାଣ ପାଇଁ ପ୍ରତିଶୃତି ଦେଇ ନିଘୋର ରହିଛି ପର୍ଯ୍ୟଟନ ବିଭାଗ। ପ୍ରାକୃତିକ ସ୍ଵନ୍ଦର୍ଯ୍ୟରେ ଭରପୁର ଏହି ଅଞ୍ଚଳ ବର୍ତମାନ ପ୍ରତାରିତ ହୋଇଛି। ଇନ୍ଦ୍ରାବତୀ ରେ ବସ ଷ୍ଟାଣ୍ଡ ଖଣ୍ଡେ ନାହିଁ, ପର୍ଯ୍ୟଟକଙ୍କ ରହଣି ପାଇଁ ବ୍ୟବସ୍ଥା ନାହିଁ, ଅଂଚଳରେ ଶୌଚାଳୟ ଖଣ୍ଡେ ନାହିଁ, ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା ନାହିଁ, ଡେମ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପାର୍କିଙ୍ଗ ବ୍ୟବସ୍ଥା ନାହିଁ। ତମାମ ଅସୁବିଧା ବିଦେଶୀ ପର୍ଯ୍ୟଟକଙ୍କ ପାଖରେ ଇନ୍ଦ୍ରାବତୀ ପ୍ରତିଛବି ମଳିନ କରୁଥିବା ବେଳେ ପାରିପାର୍ଶ୍ଵିକ ବିକାଶ ପାଇଁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରି ସରକାରଙ୍କ ସଦୟ ଦୃଷ୍ଟି ଆକର୍ଷଣ ପାଇଁ ନିବେଦନ କରିଛନ୍ତି ଅଞ୍ଚଳବାସୀ।
