ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପୋଡ଼ା ମହାଦେବଙ୍କ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଜୁନାଗଡ଼ ବଜାର ପଡ଼ାରେ ଦୃତ୍ୟ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଅଖଣ୍ଡ ନାମସଂକୀର୍ତ୍ତନ ସମୟରେ “ହରେ କୃଷ୍ଣ, ହରେ ରାମ” ଓ “ହର ହର ମହାଦେବ” ଧ୍ୱନିରେ ସମଗ୍ର ଜୁନାଗଡ଼ ଅଞ୍ଚଳ ଆଧ୍ୟାତ୍ମିକ ମହକରେ ମୁଖରିତ ହୋଇଉଠିଥିଲା। ଭକ୍ତମାନଙ୍କ ଭାବବିଭୋର ନାମଗାନ ଓ ଶିବନାମ ସ୍ମରଣ ଦ୍ୱାରା ପରିବେଶ ଆନନ୍ଦମୟ ଓ ପବିତ୍ର ହୋଇପଡ଼ିଥିଲା। ଏହି ପବିତ୍ର ନାମଯଜ୍ଞର କର୍ତ୍ତା ଭାବେ ପୁଷ୍ଟମ କଟା ଓ ତାଙ୍କ ଧର୍ମପତ୍ନୀ ମନୋରମା କଟା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ, ଶ୍ରଦ୍ଧାଳୁ ଓ ମହିଳାମାନେ ଉପସ୍ଥିତ ରହି ନାମସଂକୀର୍ତ୍ତନ, ପୂଜାର୍ଚ୍ଚନା ଓ ଦର୍ଶନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା କୀର୍ତ୍ତନ ମଣ୍ଡଳୀମାନଙ୍କ ଦ୍ୱାରା ହୋଇଥିବା ହରିନାମ ସଂକୀର୍ତ୍ତନ ଭକ୍ତମାନଙ୍କୁ ଗଭୀର ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିଥିଲା। ଅଷ୍ଟପ୍ରହରୀ ନାମଯଜ୍ଞକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଗଠିତ କମିଟିର ସଭାପତି ସଚିନ୍ ଅନ୍ଦାନୀ, ଉପସଭାପତି ପ୍ରଶାନ୍ତ ନିଆଲ, ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ରାଜନ କଟା, କୋଷାଧ୍ୟକ୍ଷ ସରୋଜ ବରାଲ ଓ ରାକେଶ ଅନ୍ଦାନୀଙ୍କ ସହିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପୋଡ଼ା ମହାଦେବ ଅଷ୍ଟପ୍ରହରୀ ନାମଯଜ୍ଞ କମିଟିର ସମସ୍ତ ସଦସ୍ୟବୃନ୍ଦ ଦିନରାତି ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଭକ୍ତମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ବସିବା ବ୍ୟବସ୍ଥା ଓ ଶୃଙ୍ଖଳା ରକ୍ଷା ସହ ଦୁଇପହର ଓ ରାତିରେ ପ୍ରସାଦ ସେବନର ସୁଚାରୁ ବ୍ୟବସ୍ଥା କରାଯାଇଥିଲା। ବହୁ ଭକ୍ତ ଶ୍ରଦ୍ଧାଭାବରେ ପ୍ରସାଦ ସେବନ କରି ଆୟୋଜନର ସୁଚାରୁ ବ୍ୟବସ୍ଥା ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ। ଅଞ୍ଚଳର ସୁଖ,ଶାନ୍ତି,ସମୃଦ୍ଧି ଓ ସାମୂହିକ ମଙ୍ଗଳ କାମନାରେ ଆୟୋଜିତ ଏହି ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଭକ୍ତିମୟ ଓ ଶାନ୍ତିମୟ ପରିବେଶ ମଧ୍ୟରେ ସୁସଂଗଠିତ ଭାବେ ସମାପ୍ତ ହୋଇଥିଲା।
