ଚାଲିଲା ଇସ୍ପାତ ଟ୍ରେନ  ; କେବେ ଚାଲିବ ଭୁବନେଶ୍ୱର ପାଇଁ ସିଧାସଳଖ ଟ୍ରେନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଦୀର୍ଘ ବର୍ଷର  ଦାବୀ ପରେ ରେଳ ବିଭାଗ ପକ୍ଷରୁ ଅଞ୍ଚଳବାସୀଙ୍କ ଗୋଟିଏ ଦାବୀ ପୂରଣ କରିବା ପାଇଁ ସହମତି ପ୍ରକାଶ କରି ଇସ୍ପାତ ଟ୍ରେନ କୁ ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି। ୧୯ ତାରିଖ ଗୁରୁବାର ଦିନ ଠାରୁ ଇସ୍ପାତ ଟ୍ରେନ ଟି ଟିଟଲାଗଡ ପରିବର୍ତ୍ତେ ଜୁନାଗଡ଼ ପର୍ଯ୍ୟନ୍ତ ସପ୍ତାହକୁ ୩ ଦିନ ଚାଲିବ। ଅଞ୍ଚଳବାସୀ ଉପକୃତ ହେବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଟ୍ରେନ ଟି ପୂର୍ବରୁ ହାୱଡା ରୁ ଆସି ଟିଟଲାଗଡରେ ରହିଯାଉଥିଲା। ଟିଟଲାଗଡ ରୁ କେସିଙ୍ଗା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ କଳାହାଣ୍ଡି ରେଳ ଯାତ୍ରୀ ସଂଘ ବ୍ୟତୀତ କେସିଙ୍ଗା ସିଟିଜନ ଫୋରମ, କେସିଙ୍ଗା ସାମ୍ବାଦିକ ମହାସଂଘ, ସଚେତନ ନାଗରିକ ମଞ୍ଚ, କେସିଙ୍ଗା ଚାମ୍ବର ଅଫ କମର୍ସଙ୍କ ସମେତ ଅନେକ ସଂଗଠନର ନିରନ୍ତର ପ୍ରଚେଷ୍ଟା ବଳରେ ଆଜି ଇସ୍ପାତ ଟ୍ରେନ ର ସମ୍ପ୍ରସାରଣ ଲକ୍ଷ୍ୟରେ ପହଞ୍ଚିଛି। କିନ୍ତୁ ଦଶନ୍ଧି ଧରି ଆଉ ଗୋଟିଏ ଦାବୀ ଯାହା କେସିଙ୍ଗା ରୁ ରାଜ୍ୟ ରାଜଧାନୀ ପାଇଁ ସିଧା ସଳଖ ଟ୍ରେନର ସୁବିଧା ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀ ପାଇ ନାହାଁନ୍ତି। ଜୁନାଗଡ଼ ପର୍ଯ୍ୟନ୍ତ ଇସ୍ପାତ ଟ୍ରେନ ସଂପ୍ରସାରଣ ହେଇଗଲା ହେଲେ ରାଜଧାନୀ ପାଇଁ ସିଧା ସଳଖ ଟ୍ରେନ କେବେ ଚାଲିବ ବୋଲି ଅଞ୍ଚଳବାସୀ ରେଳ ବିଭାଗ କୁ ପ୍ରଶ୍ନ କରିଛନ୍ତି। କେସିଙ୍ଗା ସହରର ବିଭିନ୍ନ ସଙ୍ଗଠନଙ୍କ ଦ୍ଵାରା ଉଦ୍ୟମ ଚାଲିଛି ସିଧାସଳଖ ଟ୍ରେନ ପାଇଁ ଦେଖିବାକୁ ବାକି ରହିଲା ରେଳ ବିଭାଗ କେବେ ଦାବୀ ପୂରଣ କରୁଛି।