ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପତିଗୁଡାଠାରେ ଥିବା ଡିଡି ବିଲଡରର ଏକ ଅସ୍ଥାୟୀ କ୍ୟାମ୍ପ ଭୁଶୁଡ଼ି ପଡ଼ିବାରୁ ସେଠାରେ କାର୍ଯ୍ୟରତ ରାତ୍ରି ଜଗୁଆଳି କେଶବ ବିଶିଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ ଘଟଣାସ୍ଥଳରେ ହିଁ କେଶବଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ଜୟପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଆଜି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି ହୋଇଥିବାବେଳେ ମୃତ କେଶବଙ୍କ ତିନିଟି ସନ୍ତାନଙ୍କ ନାମରେ ଦୁଇ ଦୁଇ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ସହ ଶବ ସତ୍କାର ଓ ଦଶାହ କାର୍ଯ୍ୟ ପାଇଁ ନଗଦ ୫୦ ହଜାର ଟଙ୍କା ପରିବାରକୁ ପ୍ରଦାନ କରାଯାଇଛି। ଶିଳ୍ପାନୁଷ୍ଠାନ ଓ ଠିକାଦାରଙ୍କ ଅଧୀନରେ ଶତାଧିକ ଶ୍ରମିକ କାମ କରୁଥିଲେ ମଧ୍ୟ ସେମାନଙ୍କର ଶ୍ରମିକ ପଞ୍ଜିକରଣ କରାଯାଉ ନାହିଁ। ଫଳରେ କୌଣସି ଦୁର୍ଘଟଣା ଘଟିଲେ ମୃତକ କିମ୍ବା ଆହତଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ପଞ୍ଜିକରଣକୁ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ହେଉଛି।
