ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଖରା ଆରମ୍ଭ ନ ହେଉଣୁ ଜଳ ସଙ୍କଟ ଦେଖା ଦେବାରେ ଲାଗିଲାଣି।ପ୍ରତିବର୍ଷ ଖରା ଆସିଲେ ଲୋକେ ପିଇବା ପାଣି ଟିକିଏ ପାଇଁ ସଂଘର୍ଷ କରିବାକୁ ପଡ଼େ। ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ସଦର ମହକୁମା ସ୍ଥିତ ତେଲିସାହିରେ ପାନୀୟଜଳ ସଙ୍କଟ ଦେଖାଦେଇଛି। ସର୍ବସାଧାରଣରେ ବ୍ୟବହାର ପାଇଁ ଥିବା ନଳକୂପ ଦିନେ କୁ ଦୁଇ ଦିନ ନାହିଁ ଦୀର୍ଘ ତିନିମାସ ହେଲା ଅଚଳ ହୋଇପଡିଥିବା ଅଭିଯୋଗ କରିଛନ୍ତି। ସାହିରେ ପ୍ରାୟ ୮୦ ପରିବାର ବସବାସ କରୁଥିବା ବେଳେ ମାତ୍ର ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି । ସେହି ନଳକୂପ ଦୀର୍ଘ ତିନି ମାସ ହେଲା ଅଚଳ ଅବସ୍ଥା ରେ ପଡ଼ିଥିବାରୁ ଅନ୍ୟ ସାହି ରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି। ନଳକୂପ ଖରାପ ହେବା ନେଇ ମରାମତି ଦାୟିତ୍ଵରେ ଥିବା କର୍ମଚାରୀଙ୍କୁ ବାରମ୍ୱାର ଅଭିଯୋଗ ସର୍ତ୍ତେ ଶୁଣୁନଥିବା କହିଛନ୍ତି ସାହି ବାସିନ୍ଦା। ସେମାନେ ବାରମ୍ବାର ପଂଚାୟତ ଅଫିସକୁ ଯାଇ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଂଚ ଙ୍କୁ ଅଭିଯୋଗ କଲେ ସୁଦ୍ଧା ତାହାର ସୁଫଳ ମିଳୁ ନଥିବାରୁ ଅସନ୍ତୋଷ ଦେଖାଦେଇଛି। ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଥିବା ଅଚଳ ନଳକୂପକୁ ସଜଡ଼ା ଯାଉନାହିଁ। ସେହିପରି ଆବଶ୍ୟକୀୟ ସରଞ୍ଜାମ ଥିବା ସର୍ତ୍ତେ ପଂଚାୟତ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ କାହିଁକି ମାସ ମାସ ଧରି ଅଚଳ ପଡ଼ିଥିବା ନଳକୂପ ମରାମତି କରୁନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସେହି କର୍ମଚାରୀ ଙ୍କ ମନମାନି କାର୍ଯ୍ୟ ପାଇଁ ସାଧାରଣ ଲୋକ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।ତେଣୁ ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନ ଏ ଦିଗରେ ଗୁରୁତ୍ଵ ଦେଇ ସମାଧାନ କରିବାକୁ ସାହି ବାସିନ୍ଦା ଦାବି କରିଛନ୍ତି।
