ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ସ୍ୱୟଂଶାସିତ ମହାବିଦ୍ୟାଳୟ, ରାୟଗଡାରେ ଯୁବ ରେଡକ୍ରସ୍, ଏନ୍.ସି. ସି ଓ ଜାତୀୟ ସେବା ଯୋଜନା ଶାଖାରର ମିଳିତ ପ୍ରୟାସରେ ଏକ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ ଉଦଘାଟନ କରିଥିଲେ। ଏହି ଅବସରରେ ପିଜି କାଉନସିଲ୍ ଚେୟାରମ୍ୟାନ୍ ପି. ଅରୁଣ କୁମାର, ଆକାଉଣ୍ଟ ବର୍ସାର ସୁବ୍ରତ କୁମାର ପ୍ରଧାନ, ଏନ୍.ସି. ସି ଅଧିକାରୀ ଲେଫ୍ଟନେଣ୍ଟ ଉଦୟ ନାୟକ, କେ.କେ. ଜାନି, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଟିକେଶ୍ୱର ମାଝୀ, ପ୍ରିୟଦର୍ଶିନୀ ବଳ, ଜାତୀୟ ସେବା ଯୋଜନା ଅଧିକାରୀ ଶଙ୍କର ପେଦୁରୁ ଓ ମୋନାଲିଶା ପାଣିଗ୍ରାହୀ ଉପସ୍ଥିତ ଥିଲେ।ଅଧ୍ୟକ୍ଷା ଡ଼. ରାୟ ତାଙ୍କ ଅଭିଭାଷଣରେ ରକ୍ତଦାନର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରି ସମସ୍ତଙ୍କୁ ଏହି ପବିତ୍ର କାର୍ଯ୍ୟରେ ଯୋଗ ଦେବାକୁ ପ୍ରୋତ୍ସାହିତ କରିଥିଲେ। ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡି. ଏଚ୍.ଏଚ୍ )ର ଚିକିତ୍ସକ ଦଳଙ୍କ ସହଯୋଗରେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଶିବିରରେ ସମୁଦାୟ ୨୩ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଏବଂ ବେଦାନ୍ତ ପକ୍ଷରୁ ପାଣି ବୋତଲ ପ୍ରଦାନ କରାଯାଇଥିଲା। ୱାଇ. ଅର୍.ସି, ଏନ୍.ସି. ସି ଓ ଏନ୍. ଏସ.ଏସ ର ସ୍ୱେଚ୍ଛାସେବୀମାନେ ସମଗ୍ର କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିର ମାଧ୍ୟମରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ସାମାଜିକ ସଚେତନତା ଓ ସେବାମୂଳକ ମନୋଭାବ ଆହୁରି ଜୋରଦାର ହୋଇଥିବା ଦେଖାଯାଇଛି।
