ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲନାରା ବ୍ଲକ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୋସନାର ବର୍ଲା , ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ବି ସରୋଜିନୀ ଦେବି, ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲଳ ମାଝୀଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ। ଶିବିରରେ ମୋଟ ୧୦ ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲାବେଳେ ୭ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା। ଏହି ଅଭିଯୋଗ ଶିବିରରେ ବିଶେଷକରି ଆବାସ ଯୋଜନାରେ ଘର, ସ୍ବାସ୍ଥ୍ୟଗତ ସମସ୍ୟା, ଜମାଜମା, ପାରିବାରିକ ସମସ୍ୟା, ଜଳସେଚନ, ଭତ୍ତା, ରାସ୍ତା ନିର୍ମାଣ, ପୋଲ ନିର୍ମାଣ ଓ ଅଙ୍ଗନବାଡି ଗୃହ ନିର୍ମାଣ ସହ ଅନ୍ୟାନ୍ୟ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣି ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ସମାଧାନ କରିଥିଲେ। ଶିବିରରେ କାଳନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ତହସିଲଦାର ଭବାନୀ ଶଙ୍କର ମିଶ୍ର, ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ସାହୁ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ।
