କେଲୁଆ ଗାଁରେ ଅଗ୍ନିକାଣ୍ଡ: ରୋଷେଇ ଘର ଭସ୍ମୀଭୂତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ କେଲୁଆ ଗାଁରେ ଏକ ଅଗ୍ନିକାଣ୍ଡ ଘଟଣା ଘଟି ଏକ ପରିବାର ବଡ଼ କ୍ଷତିଗ୍ରସ୍ତ ହୋଇଛି। ଗାଁର ସାନ ମାଝୀଙ୍କ ଘରର ରୋଷେଇ ଘରରେ ବୁଧବାର ରାତିରେ ହଠାତ୍ ଚୂଲିରୁ ନିଆଁ ଲାଗିଥିବା ସୂଚନା ମିଳିଛି। ସ୍ଥାନୀୟ ସୂଚନା ଅନୁସାରେ, ରାତି ସମୟରେ ରୋଷେଇ କାମ ସମାପ୍ତ ପରେ ଚୂଲିରେ ଥିବା ଅଗ୍ନି ସଠିକ୍ ଭାବେ ଲିଭାଇ ନଥିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କିଛି ସମୟ ମଧ୍ୟରେ ନିଆଁ ତିବ୍ର ହୋଇ ରୋଷେଇ ଘରକୁ ଆବୃତ କରିଦେଇଥିଲା। ଅଗ୍ନିକାଣ୍ଡ ଦେଖି ଗାଁର ଲୋକମାନେ ତୁରନ୍ତ ଏକତ୍ରିତ ହୋଇ ପାଣି ଓ ଅନ୍ୟ ଉପାୟରେ ନିଆଁ ନିୟନ୍ତ୍ରଣ କରିବାକୁ ଲାଗିଥିଲେ। ସେମାନଙ୍କ ସମୟୋପଯୁକ୍ତ ପ୍ରୟାସରୁ ଅଗ୍ନି ଘରର ଅନ୍ୟ ଅଂଶକୁ ପ୍ରସାରିତ ହେବାରୁ ରୋକାଯାଇଥିଲା।ଏହି ଅଗ୍ନିକାଣ୍ଡରେ ରୋଷେଇ ଘର ସମ୍ପୂର୍ଣ୍ଣ ଭାବେ ଜଳି ଭସ୍ମୀଭୂତ। ଘରେ ଥିବା ରାସନ ସାମଗ୍ରୀ ଜଳି ନଷ୍ଟ ଦୈନନ୍ଦିନ ବ୍ୟବହାରର ଆସବାବପତ୍ର ମଧ୍ୟ ପୋଡ଼ିଗଲା ପରିବାର ଲୋକମାନଙ୍କ କହିବା ଅନୁଯାୟୀ, ଯଦି ଗାଁବାସୀମାନେ ସମୟରେ ଆସି ସହଯୋଗ କରିନଥାନ୍ତେ, ତେବେ ସମ୍ପୂର୍ଣ୍ଣ ଘରଟି ଜଳି ପୋଡ଼ି ଯାଇଥାନ୍ତା। ଏହି ଘଟଣା ପରେ ପୀଡ଼ିତ ପରିବାର ପକ୍ଷରୁ ସରକାରୀ ସହାୟତା ଓ ରିଲିଫ୍ ଦାବି କରାଯାଇଛି। ସ୍ଥାନୀୟ ପ୍ରଶାସନ ଘଟଣା ବିଷୟରେ ଜାଣି ପରିସ୍ଥିତିର ମୂଲ୍ୟାଙ୍କନ କରିବାକୁ ଯାଇପାରନ୍ତି ବୋଲି ଅପେକ୍ଷା କରାଯାଉଛି। ଗାଁବାସୀଙ୍କ ସଚେତନତା ଓ ତୁରନ୍ତ ପଦକ୍ଷେପରୁ ବଡ଼ ଅପମାଦ ଟଳିଥିବା ବେଳେ, ପୀଡ଼ିତ ଗରିବ ଆଦିବାସୀ ପରିବାର ପାଇଁ ଏହା ଏକ ବଡ଼ ଆର୍ଥିକ ଆଘାତ ଲାଗିଛି।

Leave a Reply

Your email address will not be published. Required fields are marked *