ସାମ୍ବାଦିକ ଶରତ ସୁନାନୀଙ୍କ ଅକାଳ ବିୟୋଗ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚାୟତ ଅନ୍ତର୍ଗତ ପୋଟେସ ଗ୍ରାମର ଶରତଚନ୍ଦ୍ର ସୁନାନୀ (୪୬)ଙ୍କ ଗୁରୁବାର ସକାଳ ପ୍ରାୟ ସାଡେ ୭ ଟା ସମୟରେ ହୃଦଘାତ ହେବାରୁ ତାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସକାଳୁ ସେ’ ନିଜ ଘର ପାଖରେ ଠିଆ ହୋଇଥିବା ସମୟରେ ମୁଣ୍ଡ ବୁଲେଇବା ଯୋଗୁଁ ହଠାତ ତଳେ ପଡି ଅଚେତ୍ ହୋଇଯାଇଥିଲେ। ସେଠାରୁ ତାଙ୍କୁ ତୁରନ୍ତ ନିକଟସ୍ଥ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। କିନ୍ତୁ ଡାକ୍ତର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ମୃତ ଘୋଷଣା କରିଥିଲେ। ଶ୍ରୀସୁନାନୀଙ୍କ ପାର୍ଥିବ ଶରୀରକୁ ଗାଁର ନିଜ ଚାଷ ଜମି ନିକଟରେ ଶବ ସଂସ୍କାର କରାଯାଇଥିଲା। ତାଙ୍କ ସାନ ଭାଇ ବିନୋଦ ସୁନାନୀ ମୁଖାଗ୍ନି ଦେଇଥିଲେ। ସ୍ୱାମିଙ୍କ ଆକସ୍ମିକ ମୃତ୍ୟୁ ପରେ ସ୍ତ୍ରୀ ବିଳାସିନୀ ସୁନାନୀ ଏବଂ ତାଙ୍କ ତିନି ଝିଅ ମର୍ମାହତ ହୋଇ ପଡିଛନ୍ତି। ସାମ୍ବାଦିକ ଶ୍ରୀସୁନାନୀ ପରିବାରର ମୁଖ୍ୟ ଥିଲେ। ଦୈନିକ ଖବରକାଗଜର ସାମ୍ବାଦିକ ଭାବେ କଲମପୁର ବ୍ଲକରେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା। ମୃତ୍ୟୁ ଖବର ପ୍ରସାରିତ ହେବା ପରେ ତାଙ୍କ ପାର୍ଥିବ ଶରୀରକୁ ଦେଖିବା ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ଲାଗିଥିଲା। ଖବର ଶୁଣିବା ମାତ୍ରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ, ସମିତି ଅଧ୍ୟକ୍ଷା ଜ୍ୟୋତି ନାଏକ, ପାଣ୍ଡିଗାଁ ସରପଞ୍ଚ କବିତା ଜୈନ, ଡା. ଶିବାଶିଷ ସ୍ୱାଇଁ, ସମିତି ଉପାଧ୍ୟାକ୍ଷ ଚିନ୍ତାମଣି ବେହେରା ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ କର୍ମଚାରୀ, ରାଜନେତା ସମୂହ ଦୁଃଖ ପ୍ରକାଶ କରିଛନ୍ତି। ବ୍ଲକର ସମସ୍ତ ସାମ୍ବାଦିକ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହି ପରିବାରକୁ ସମବେଦନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *