ଶ୍ରୀରାମ ମନ୍ଦିର ପ୍ରତିଷ୍ଠା: ଉତ୍ସବମୁଖର ଅସୁରଗଡ଼

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଉତ୍ସବମୁଖର ହୋଇଉଠିଛି କଳାହାଣ୍ଡିର ଐତିହ୍ୟ ସଂପନ୍ନ ଗାଁ ଅସୁରଗଡ଼। ଗତ ୧୯ରୁ ୨୭ ପର୍ଯ୍ୟନ୍ତ ଦୀର୍ଘ ନବଦିନ ବ୍ୟାପୀ ଚାଲିଥିବା ଏହି ଭବ୍ୟ କାର୍ଯ୍ୟକ୍ରମ ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଜନସମାଗମ ହେଉଛି। ଇତି ମଧ୍ୟରେ ବୈଦିକ ବିଧିରେ ପ୍ରତିଷ୍ଠା କାର୍ଯ୍ୟ ସଂପାଦିତ ହୋଇ ମନ୍ଦିର ମଧ୍ୟରେ ବିରାଜମାନ ହୋଇ ସାରିଛନ୍ତି ଶ୍ରୀରାମ, ଲକ୍ଷ୍ମଣ, ସୀତା ଦେବୀ, ହନୁମାନଙ୍କ ସମେତ ପାର୍ଶ୍ୱ ଦେବାଦେବୀ। ଏବେ ଚାଲିଛି ୧୬ ପ୍ରହର ନାମଯଜ୍ଞ। ଅସ୍ଥାୟୀ ମଣ୍ଡପରେ ଶୋଭା ପାଉଛି ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମା। ନାମଯଜ୍ଞ ପାଇଁ ଶୁକ୍ରବାର ଅପରାହ୍ନରେ କଳସ ଯାତ୍ରା ଓ ସନ୍ଧ୍ୟାରେ ଅଧିବାସ ଅନୁଷ୍ଠିତ ହୋଇଥିଲା। ଶନିବାର ସକାଳ ୭.୩୦ ସମୟରେ ମହାମନ୍ତ୍ର ନାମ ଆରମ୍ଭ ହୋଇଥିଲା। ପରିଚାଳନା ସମିତିର ସଭାପତି ଘନଶ୍ୟାମ ପଧାନ ଓ ସମ୍ପାଦକ ତୁଷାରକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏଥିରେ କର୍ତ୍ତା ଭାବରେ କମଳା ରଣା ଓ ଡମ୍ବରୁ ରଣା ଦାୟୀତ୍ୱ ନିର୍ବାହନ କରୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ଅର୍ଜ୍ଜୁନ ମିଶ୍ର, ସହଯୋଗୀ ଭାବରେ କଳ୍ପତରୁ ପାଢୀ ଓ ଜପକ ଭାବରେ ମାଝୀଗୌରୀ ପଣ୍ଡା ପୂଜା ପରିଚାଳନା କରୁଛନ୍ତି। ନାମଯଜ୍ଞରେ ୯ ଗୋଟି ସଂଙ୍କୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଛନ୍ତି। ନାମଯଜ୍ଞରେ ମଧ୍ୟାହ୍ନ ଓ ରାତିରେ ଦୁଇ ସମୟରେ ଅନ୍ନଯଜ୍ଞ ମଧ୍ଯ ଚାଲିଛି। ମୀନାବଜାରରେ ମଧ୍ୟ ଭିଡ଼ ଲାଗି ରହିଛି। ଗୋବିନ୍ଦ ଗଉଡ, ନିର୍ମଳ ଗଉଡ, ନରୋତ୍ତମ ଗଉଡ, ଅମର୍ତ୍ତ୍ୟ ଗଉଡ ଜଗଦିଶ ଗଉଡ, ବାରିକ ଗଉଡ, ନାବିକ ଗଉଡ, ତ୍ରୀଲୋଚନ ପଧାନଙ୍କ ସମେତ ଗ୍ରାମବାସୀ ଓ ଗ୍ରାମର ଯୁବଗୋଷ୍ଠୀ ଯଜ୍ଞ ପରିଚାଳନାରେ ସହଯୋଗ କରୁଛନ୍ତି। ସୋମବାର ସକାଳ ୭.୩୦ ରେ ନାମଯଜ୍ଞର ପୂର୍ଣ୍ଣାହୁତି ପଡ଼ିବା ସାଙ୍ଗକୁ ନଗର କୀର୍ତ୍ତନ ଓ ଦଧି ହାଣ୍ଡି ଭଗ୍ନ କାର୍ଯ୍ଯକ୍ରମ ରହିଥିବା କମିଟି ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *