ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ସଙ୍କଟ ଗଭୀର ରୂପ ନେଉଥିବାରୁ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେଉଛି। ବ୍ଲକରେ ଥିବା ଥୁଆମୂଳ ରାମପୁର ସଦର ମହକୁମା ସହ ଗୁଣପୁର ଓ କୁମ୍ଭାରକାନୀ ଅଞ୍ଚଳର ପେଟ୍ରୋଲ ପମ୍ପଗୁଡିକରେ ପୂର୍ବଭଳି ଇନ୍ଧନ ଉପଲବ୍ଧ ନ ହେବାରୁ ଉପଭୋକ୍ତାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ଇରାନ ଆମେରିକା ମଧ୍ୟରେ ଯୁଦ୍ଧକାଳୀନ ସ୍ଥିତି ଦିନକୁ ଦିନ ସାଂଘାତିକ ରୂପ ନେବାକୁ ଯାଉଥିବା ବେଳେ ବିଶ୍ବରେ ତୈଳ ଇନ୍ଧନର ସଂକଟ ଦେଖାଦେଇଛି। ଆଗକୁ ଏହା ଭୟଙ୍କର ସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇନ୍ଧନ ସଞ୍ଚୟ’ ଆହ୍ୱାନ ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ତୈଳ ବଜାରର ଅସ୍ଥିରତା ଓ ବିଶ୍ୱ ରାଜନୈତିକ ହଲଚଲ ପ୍ରଭାବରେ ଇନ୍ଧନ ଯୋଗାଣ ବ୍ୟବସ୍ଥା ଉପରେ ଚାପ ବଢ଼ିଥିବା ଚର୍ଚ୍ଚା ହେଉଛି। ଏହାର ପ୍ରଭାବ ଏବେ ଗ୍ରାମାଞ୍ଚଳର ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ ପଡ଼ିଥିବା ଦେଖାଯାଉଛି। ଯେଉଁ ପମ୍ପରେ ଇନ୍ଧନ ମିଳୁଛି, ସେଠାରେ ଯାନବାହନର ଲମ୍ବା ଲାଇନ୍ ଲାଗୁଥିବା ବେଳେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଅନେକ ସମୟରେ ଦୀର୍ଘ ଅପେକ୍ଷା ପରେ ମଧ୍ୟ ପେଟ୍ରୋଲ କିମ୍ବା ଡିଜେଲ ନ ମିଳୁଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଇନ୍ଧନ ସଙ୍କଟର ସବୁଠାରୁ ବଡ ପ୍ରଭାବ ଯାତାୟାତ ବ୍ୟବସ୍ଥା ଉପରେ ପଡ଼ିଛି। ଯାତ୍ରୀବାହୀ ବସ୍ଗୁଡିକ ସମୟମତେ ଚଳାଚଳ କରିପାରୁନଥିବା ବେଳେ କେତେକ ରୁଟରେ ବସ୍ ସେବା ଆଂଶିକ ଭାବେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଲୋକ, ଦୈନିକ ଯାତ୍ରୀ, ରୋଗୀ, ସରକାରୀ ଓ ବେସରକାରୀ କର୍ମଚାରୀମାନେ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମାଞ୍ଚଳରେ ଲୋକଙ୍କ ଗମନାଗମନ ପାଇଁ ବାଇକ୍, ଅଟୋ ଓ ବସ୍ ହିଁ ପ୍ରମୁଖ ଭରସା ହୋଇଥିବା ବେଳେ ଏଭଳି ଇନ୍ଧନ ଅଭାବ ଲୋକଙ୍କ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। ଚାଷ କାମ, ଛୋଟ ବ୍ୟବସାୟ ଓ ଜରୁରୀ ସେବାମାନେ ମଧ୍ୟ ଏହାର ପ୍ରଭାବ ଭୋଗୁଥିବା ଦେଖାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନିୟମିତ ଭାବେ ଇନ୍ଧନ ଯୋଗାଣ ନ ହେବା ସହ ଚାହିଦା ଅନୁଯାୟୀ ମଜୁତ ରଖାଯାଉନଥିବାରୁ ଏହି ସମସ୍ୟା ଉପୁଜିଛି। ତେଣୁ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଇନ୍ଧନ ଯୋଗାଣ ସ୍ୱାଭାବିକ କରିବାକୁ ସାଧାରଣରେ ଦାବି ହେଉଛି।

