ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝିଟିକିଗୁଡା ୨୬ ନମ୍ବର ଜାତୀୟ ରାଜପଥଠାରେ ଟ୍ରଲର୍ ଓ କାର୍ ମୁହାଁମୁହିଁ ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆନ୍ଧ୍ରର ଗୋଟିଏ ପରିବାରର ଦୁଇ ମହିଳା, ଦୁଇ ପୁରୁଷ ଓ ଜଣେ ଶିଶୁ କାର୍ ଯୋଗେ ପୁରୀଠାରୁ ନବରଙ୍ଗପୁର ଶଶୁର ଘରକୁ ଫେରୁଥିଲେ। ଏହି ସମୟରେ ଏକ ଟ୍ରଲର୍ କଳାହାଣ୍ଡି ଅଭିମୁଖେ ଯାଉଥିବା ସମୟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତୁରନ୍ତ ପୁଲିସ ଓ ଅଗ୍ନିଶ୍ରମ ବିଭାଗ ବିଭାଗ ପହଞ୍ଚି ୫ ଜଣଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଦୁଇ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ତିନି ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

