କୋକସରା/କ୍ରାନ୍ତିକ୍ଷେତ୍ର : ‘ବାଣ୍ଟିଲେ ହିଁ ଚମକିବ’ ସଂପ୍ରୀତିର ବାର୍ତ୍ତାକୁ ନେଇ ସମଗ୍ର ବିଶ୍ୱରେ କିଟ୍ ଓ କିସ୍ ପକ୍ଷରୁ ୧୩ତମ ‘ଆର୍ଟ୍ ଅଫ୍ ଗିଭିଂ’ ଦିବସ ପାଳିତ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଫୁପଗାଁ ଧାନମଣ୍ଡି ପରିସରରେ ଆଜି କିଟ୍ ଓ କିସ୍ କୋକସରା ଶାଖା ପକ୍ଷରୁ ବ୍ଳକସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଛି। ବ୍ଳକ ସଂଯୋଜକ ସନ୍ଥ କୁମାର ନାଏକଙ୍କ ସଂଯୋଜନା ଏବଂ କିସର ପୂର୍ବତନ ଛାତ୍ର ଭୁବନେଶ୍ୱର ଦିଶାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃତିବାସ ଶବର ମୁଖ୍ୟ ବକ୍ତା, କିସ୍ କଳାହାଣ୍ଡିର ଶିକ୍ଷକ ତୁଳସୀ ପ୍ରାସାଦ ଶବର, ଭୁବନେଶ୍ୱର କିସ୍ର ପୂର୍ବତନ ଛାତ୍ର ଦୋଳଗୋବିନ୍ଦ ନାଏକ, କିଶୋର ମାଝୀ ଏବଂ କିସ୍ କଳାହାଣ୍ଡିର କର୍ମଚାରୀ ଅର୍ଜୁନ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବା ପାଇଁ କିଟ୍ ଓ କିସର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଅବଦାନ ଓ ତ୍ୟାଗକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଅଞ୍ଚଳର ଅଧିକରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଏଭଳି ମହାନ ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ପ୍ରତିଷ୍ଠିତ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ସମାରୋହରେ କୋକସରା ବ୍ଲକର ବିଭିନ୍ନ ଗ୍ରାମରୁ କିଟ୍ ଓ କିସର ବହୁ ପୁରାତନ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କଳାହାଣ୍ଡି କିସ୍ର ଛାତ୍ରୀ ସ୍ଲେଶା ଶବର ଓ ଅର୍ଚ୍ଚିତା ଶବର ମଞ୍ଚ ପରିଚାଳନା କରିଥିବାବେଳେ ଭରତ ପୁଝାରୀ, ପ୍ରେମଲାଲ ଶବର, ଫକୀର ପାତ୍ର, କାମାକ୍ଷ ଶବର, ତୀର୍ଥବାସ ପୁଝାରୀ, ଶ୍ୟାମ ସୁନ୍ଦର ନାଏକ, ନରେନ୍ଦ୍ର ନାଏକ, ମାଧବ ଶବର, ଦୟାନିଧି ଭୋଇ, ମଦନ ଭୋଇ, ବବୃବାହାନ ପାତ୍ର ଏବଂ ଆଶା କର୍ମୀ ନବ ନାଏକ, ଦୁତିକା ପାତ୍ର ଓ ଲଳିତା ଶବରଙ୍କ ସମେତ ଉପସ୍ଥିତ ସମସ୍ତ ଅଭିଭାବକ ସହଯୋଗ କରିଥିଲେ।

