ବେଦାନ୍ତ ପମ୍ପ ହାଉସ ଟ୍ରାନ୍ସଫରମରରୁ ଲକ୍ଷାଧିକ ଟଙ୍କାର ତମ୍ବାତାର ଚୋରି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ତେଲ ନଦୀ ରୁ ଲାଞ୍ଜିଗଡରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀ କୁ ପାଣି ସପ୍ଲାଏ ହୋଇଥାଏ। ସେଥି ପାଇଁ ବେଦାନ୍ତ ପକ୍ଷରୁ ତେଲ ନଦୀ ତୁଠରେ ପମ୍ପ ହାଉସ ତିଆରି କରି ଏକ ୩୩କେଭି ବିଦ୍ୟୁତ୍ ସବ ଷ୍ଟେସନ ତିଆରି କରି ବଡ଼ ବଡ଼ ପାଣି ପମ୍ପ ଲଗାଇ ନଦୀ ରୁ ପାଣି ଉଠାଇ ପାଇପ ଲାଇନ ସାହାଯ୍ୟରେ ଲାଞ୍ଜିଗଡ ରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀ ପର୍ଯ୍ୟନ୍ତ ପାଣି ପହଞ୍ଚୁଥିଲା। ହେଲେ ପ୍ରାୟ ବର୍ଷେ ହେଲାଣି ଉକ୍ତ ତେଲ ନଦୀ ରୁ ଆଉ ପାଣି ନଯାଇ ବର୍ତ୍ତମାନ କେସିଙ୍ଗା ବ୍ଲକ ତହଁସିର ଗ୍ରାମ ପାଖରୁ ଉକ୍ତ ତେଲ ନଦୀରେ ପୁଣିଥରେ ଆଉ ଗୋଟିଏ ପମ୍ପ ହାଉସ ଓ ସବଷ୍ଟେସନ ନୂତନ ଭାବେ ତିଆରି କରି ସେଠାରୁ ପାଣି ଯାଉଛି ସେଥି ପାଇଁ କେସିଙ୍ଗା ତେଲ ନଦୀ ପୀଠ ରେ ଥିବା ସବ ଷ୍ଟେସନ ରେ କେହି ଜଗୁଆଳି ରହୁ ନାହାନ୍ତି। କେବଳ ଗେଟରେ ଏକ ତାଲା ଭରସାରେ ରହିଛି ଉକ୍ତ ସ୍ଥାନଟି। ମୁଖ୍ୟ ରାସ୍ତା ରୁ ପ୍ରାୟ ଏକ କିଲୋମିଟର ନିଛାଟିଆ ସ୍ଥାନରେ ରହିଥିବାରୁ ଚୋର ମାନେ ଆରାମ ରେ ଭିତରକୁ ଯାଇ ଚଳିତ ମାସ ୧୦ ତାରିଖରୁ ୧୭ ତାରିଖ ମଧ୍ୟରେ ଉକ୍ତ ବନ୍ଦ ପଡ଼ିଥିବା ସବ ଷ୍ଟେସନ ର ପ୍ରାୟ ତିନୋଟି ଟ୍ରାନ୍ସଫରମର ରୁ ପ୍ରାୟ ୨୦ ରୁ ୨୫ ଲକ୍ଷ ଟଙ୍କାର ତମ୍ବା ତାର ଚୋରି ହୋଇଥିବା କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମିଳିବା ପରେ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାବେଳେ ଯଥା ଶୀଘ୍ର ଚୋର ମାନଙ୍କୁ ଧରାଯିବ ବୋଲି କେସିଙ୍ଗା ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳ ପ୍ରକାଶ କରିଛନ୍ତି। ସେମିତି ଆଗରୁ ମଧ୍ୟ ବନ୍ଦ ପଡ଼ିଥିବା କୋଣାର୍କ ସୂତାକଳ ରୁ ଚୋର ମାନେ ଅନ୍ଧାର ଓ ବିନା ଜଗୁଆଳି ର ଫାଇଦା ନେଇ ସେଠାରେ ଲାଗିଥିବା ଟ୍ରାନ୍ସଫରମର ରୁ ସେମିତି ତମ୍ବା ତାର, ଲୁହାଛଡ଼ ଚୋରି କରି ନେଇଥିବା କେସିଙ୍ଗା ଥାନାରେ ଅନେକ ଅଭିଯୋଗ ହୋଇ କିଛି ଚୋର ପୋଲିସ ହାତରେ ଧରାପଡ଼ି ଜେଲ ର ହାବା ମଧ୍ୟ ଖାଇଥିବା ବେଳେ ଚୋର ମାନେ ମୁଖ୍ୟତଃ ଅନ୍ଧାରୁଆ, ନିଛାଟିଆ ସ୍ଥାନ ର ସୁଯୋଗ ନେଇ କେସିଙ୍ଗା ଅଞ୍ଚଳରେ ଅନେକ ଚୋରି ଡକାୟତି ହେଉଛି।ଯଥା ଶୀଘ୍ର ସେହି ଚୋର ମାନଙ୍କୁ ଧରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *