ବିଞ୍ଝାରପୁରରେ ବିଜେପି ମହିଳା ମୋର୍ଚ୍ଚାର ଜନଆକ୍ରୋଶ ସମାବେଶ ଓ ପଦଯାତ୍ରା

ଯାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ବ୍ଲକର ବିଞ୍ଝାରପୁର ମଣ୍ଡଳ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବ୍ୟାପକ ଜନଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳାଙ୍କ ସକ୍ରିୟ ଯୋଗଦାନ ଦେଖିବାକୁ ମିଳିଥିଲା। ସମାବେଶରେ ଯୋଗଦେଇଥିବା ମହିଳାମାନେ କଂଗ୍ରେସ ସହ ଅନ୍ୟାନ୍ୟ ବିରୋଧୀ ଦଳଙ୍କ ନୀତି ଓ ଭୂମିକାକୁ ନେଇ ନାରାବାଜି କରିଥିଲେ। ବିଶେଷତଃ କେନ୍ଦ୍ର ସରକାର ପ୍ରଣୀତ ଐତିହାସିକ ନାରୀଶକ୍ତି ବନ୍ଦନ ଅଧିନିୟମ କୁ ବିରୋଧ କରାଯାଉଥିବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଟୁ ପ୍ରତିକ୍ରିୟା ଓ ତୀବ୍ର ପ୍ରତିବାଦ ପ୍ରକାଶ ପାଇଥିଲା। ବିଞ୍ଝାରପୁର ଟ୍ରେଜରୀ ଛକରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ହନୁମାନ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ପଦଯାତ୍ରା ଅବସରରେ ମହିଳାମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧାରଣ କରି ନାରୀ ସଶକ୍ତିକରଣ ପକ୍ଷରେ ଜୋରଦାର ସ୍ୱର ଉତ୍ତୋଳନ କରିଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ମହିଳା ସୁରକ୍ଷା, ସ୍ୱାବଳମ୍ବନ ଓ ରାଜନୈତିକ ସଶକ୍ତିକରଣ ସମ୍ବନ୍ଧୀୟ ନୀତିଗୁଡ଼ିକୁ ସମର୍ଥନ କରାଯାଇଥିବାବେଳେ, ବିରୋଧୀ ଦଳମାନଙ୍କ ମହିଳା ବିରୋଧୀ ମନୋଭାବକୁ ନେଇ କଠୋର ସମାଲୋଚନା କରାଯାଇଥିଲା। ସମାବେଶରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବବିତା ମଲ୍ଲିକ, ବରିଷ୍ଠ ନେତା ନିରଂଜନ ବେହୁରିଆ, ବିଞ୍ଝାରପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ସୁନୀଲ କୁମାର ସାହୁ, ପୁରୁଷୋତ୍ତମ ବେହେରା, ମଣ୍ଡଳ ସଭାପତି ମନୋରଞ୍ଜନ ସାହୁ, ଶାନ୍ତିଲତା ମିଶ୍ର, ନମିତା ନାୟକ, ମଞ୍ଜୁଲତା ପଣ୍ଡା, ଶସ୍ମିତା ବେହେରା, ଦୀନବନ୍ଧୁ ଦାସ, ବିଶ୍ୱଜିତ ସାମଲ, ସୁନିଲ ସାହୁ, କୁଞ୍ଜ ବିହାରୀ ବେହେରା, ରବୀନ୍ଦ୍ର ପଣ୍ଡା ଓ ମାନିନୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନାରୀ ଅଧିକାର, ସମ୍ମାନ ଓ ସଶକ୍ତିକରଣ ପ୍ରସଙ୍ଗକୁ ଆଗକୁ ଆଣିବା ସହ ରାଜନୈତିକ ପରିପ୍ରେକ୍ଷୀରେ ମହିଳାଙ୍କ ଭୂମିକାକୁ ଅଧିକ ସୁଦୃଢ଼ କରିବାର ବାର୍ତ୍ତା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *