ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଲ୍ୟାମ୍ପରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ କଲ୍ୟାଣସିଂହପୁର ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରାସାଦ ତ୍ରିପାଠୀଙ୍କ ଜିଲୁଣ୍ଡା ସ୍ଥିତ ବାସଭବନ ଓ କଲ୍ୟାଣସିଂହପୁର ଲ୍ୟାମ୍ପରେ ସକାଳୁ ସକାଳୁ ଚଢ଼ାଉ କରିଛି। ଏଠାରେ ସୂଚନାଯୋଗ୍ୟଯେ କଲ୍ୟାଣସିଂହପୁର ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରାସାଦ ତ୍ରିପାଠୀ ମିନିବ୍ୟାଙ୍କ ଆକାଉଣ୍ଟରୁ ଚାଷିଙ୍କ ନାମରେ ରହିଥିବା ୨୮ଲକ୍ଷ ୨୯ ହଜାର, ଭାଇ ନାମରେ ୧୪ଲକ୍ଷ ୨୧ ହଜାର, ବାପାଙ୍କ ନାମରେ ଗ୍ରାଚୁଇଟି ଟଙ୍କା ୩ଲକ୍ଷ ୭୫ ହଜାର, ସ୍ତ୍ରୀ ଏବଂ ତାଙ୍କ ସଂପର୍କିୟ ନାମରେ ୬ଲକ୍ଷ ୬୫ହଜାର ଏବଂ ନିଜ ନାମରେ ୨୨ଲକ୍ଷ ଟଙ୍କା ବେନିୟମ ଭାବରେ ହଡପ କରିଥିବା ତଥ୍ୟ ତଦନ୍ତ ବେଳେ ସାମ୍ନାକୁ ଆସିଥିଲା। ଲ୍ୟାମ୍ପ୍ସ୍ର ବିଭିନ୍ନ କାମ ନାମରେ ମିଥ୍ୟା ଖର୍ଚ୍ଚ ଦର୍ଶାଯାଇଛି। କେଉଁଠି ପାଚେରୀ ନିର୍ମାଣ ଓ କେଉଁଠି ମରାମତି କାମ ଦେଖାଇ ଟଙ୍କା ଉଠାଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ତଦନ୍ତ ବେଳେ ବ୍ୟାଙ୍କ ଜମା ଖାତା ଓ କ୍ୟାସ ବୁକ୍ ମେଳ ଖାଉନଥିବା ଜଣାପଡ଼ିଛି। ହିସାବ ରକ୍ଷକଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ମଧ୍ୟ ଉଠାଣ ହୋଇଛି ବୋଲି କୁହାଯାଇଥିଲା। ଏହି ଘଟଣା ପରେ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରାସାଦ ତ୍ରିପାଠୀଙ୍କୁ ତୁରନ୍ତ ଦା୍ୱିତ୍ୱ ରୁ ହଟାଯାଇ ଏରିଆ ମ୍ୟାନେଜର ସିଲା ନିରଞ୍ଜନ ଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିଲା। ରାୟଗଡା ଡିଆରସିଏସ୍ ଜନ୍ମେଜୟ ମହାପାତ୍ର ତଦନ୍ତ ବେଳେ ୭୫ ଲକ୍ଷ ଟଙ୍କାରୁ ଉର୍ଧ୍ବ ଟଙ୍କା ବେଆଇନ ଭାବରେ ହଡପ ହୋଇଥିବା ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଲିଖିତ ଭାବେ ସୂଚନା ଦେଇଥିଲେ। ଏନେଇ ଭିଜିଲାନ୍ସ ନିଜ ଆଡୁ ତଦନ୍ତ କରିବା ପାଇଁ ବିଭାଗକୁ ଆବଶ୍ୟକ କାଗଜପତ୍ର ମାଗିଥିଲା। ଭିଜିଲାନ୍ସ ଚଢ଼ାଉ ଚାଲିଛି ଏବଂ ତଦନ୍ତ ପରେ ସୂଚନା ଦିଆଯିବ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି। ବାସଭବନରୁ କିଛି କାଗଜପତ୍ର ଜବତ କରିଥିବା ବେଳେ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରାସାଦ ତ୍ରିପାଠୀଙ୍କୁ ଧରି ରାୟଗଡା ସ୍ଥିତ ଏଆରସିଏସ କାର୍ଯ୍ୟାଳୟକୁ ତଦନ୍ତ ପାଇଁ ଆଣିବେ ବୋଲି ସୂଚନାରୁ ଜଣାପଡିଛି।

