କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକର ୨୬ ଗୋଟି ପଞ୍ଚାୟତର ପ୍ରାୟ ୬ ହଜାର ଭତ୍ତା ହିତାଧିକାରୀଙ୍କ ଆକାଉଣ୍ଟ ରେ ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତାରେ ପଡ଼ୁଥିବା ଭତ୍ତା ଗତ ଏପ୍ରିଲ ମାସରୁ ପଡ଼ିନି। ବୁଢ଼ା ବୁଢ଼ୀ ମାନେ ଏତେ ବଡ଼ ଖରାରେ ବ୍ଲକ କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ଚପଳ ସରିଗଣି। ଦୁଇ ମାସ ହେଲାଣି ନିଜର ଅତ୍ୟାବଶ୍ୟକ ଔଷଧ ଓ ନିତିଦିନିଆ ଚଳିବା ପାଇଁ ଅନେକ ଅସୁବିଧା ହେଉଥିବା ଅନେକ ହିତାଧିକାରୀ କହିବା ସହିତ ବିଜେଡି ସରକାର ଅମଳରେ ମାସର ୬ ତାରିଖରେ ବ୍ୟାଙ୍କ ଖାତାରେ ଟଙ୍କା ପଡ଼ୁଥିବା ପୁରୁଣା କଥା କହି ବିଜେପି ସରକାର ଉପରେ ଭତ୍ତା ହିତାଧିକାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ଏପ୍ରିଲ ମାସରେ ଡ଼ିବିଟି ପ୍ରକ୍ରିୟାରେ ସଂଶୋଧନ କରିଛନ୍ତି, ଏଣୁ ଜାତୀୟ ସାମାଜିକ ସହାୟତା ଏପ୍ରିଲ ମାସରେ ଦେବାକୁ ମନା କରିଛନ୍ତି। ଏପ୍ରିଲ ଓ ମଇ ମାସର ଭତ୍ତା ଏକକାଳୀନ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ଜଣେ ବିଭାଗୀୟ ଉଚ୍ଚ ଅଧିକାରୀ ଏକ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଜଣାଇଥିବା ଜଣା ପଡ଼ିଛି। ଏନେଇ କେସିଙ୍ଗା ବ୍ଲକର ଭତ୍ତା ଦାୟୀତ୍ୱରେ ଥିବା ଅଧିକାରୀ ଙ୍କୁ ପଚାରିବାରୁ ସେ ଭତ୍ତା ଆଗାମୀ ଦୁଇ ତିନି ଭିତରେ ମିଳିଯିବ ବୋଲି ପ୍ରକାଶ କରିଥିଲେ।

