ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ନିଳାଦ୍ରୀଗୁଡା ଠାରେ ଦୀର୍ଘ ୮ ଦିନ ଧରି ଚାଲିଥିବା ‘ମାଁ ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ’ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ଅଞ୍ଚଳର ମୋଟ ୧୬ଟି ପ୍ରତିଷ୍ଠିତ ଦଳକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ୍ରେ ମୈଦଳପୁର ଓ ଖୁଡିଗୁଡା ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଶେଷରେ ମୈଦଳପୁରକୁ ପରାସ୍ତ କରି ୧୨୫ ରନ୍ ସଂଗ୍ରହ ସହ ଖୁଡିଗୁଡା ଟିମ୍ ଚାମ୍ପିଅନ୍ ହୋଇଛି। ଉଦଯାପିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏବଂ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଯୋଗ ଦେଇଥିଲେ। ଅତିଥିମାନେ ବିଜୟୀ ଖୁଡିଗୁଡା ଦଳକୁ ନଗଦ ୧୫ ହଜାର ଟଙ୍କା ସହ ଚାମ୍ପିଅନ୍ସ ଟ୍ରଫି ଏବଂ ରନର୍ସଅପ୍ ମୈଦଳପୁର ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ପୂର୍ଣ୍ଣ ଓ ସମ୍ପାଦକ ତ୍ରିନାଥଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରସ୍ତମ, ରାଜକୁମାର, ଧରମା, କିଶୋର ଓ ଟିକୁନ ପ୍ରମୁଖ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ମୈଦଲପୁର ଓ ଆଖପାଖ ଅଞ୍ଚଳର ଶତାଧିକ କ୍ରୀଡ଼ାପ୍ରେମୀ ଦର୍ଶକ ମ୍ୟାଚକୁ ଉପଭୋଗ କରିଥିବା ବେଳେ ସମଗ୍ର ଟୁର୍ଣ୍ଣାମେଣ୍ଟ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।

