ଚୋର ଗ୍ୟାଙ୍ଗ୍‌ କବ୍‌ଜାରେ ଗୋଲାମୁଣ୍ଡା ବ୍ଲକ: ମାସକରେ ୪ ବଡ଼ ଲୁଟ୍‌, ପୋଲିସର ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଦିନକୁ ଦିନ ଚୋରି, ଡକାୟତି ଓ ରାହାଜାନୀ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବ୍ଲକ ଅଞ୍ଚଳରେ ଦୁଇଟି ଥାନା ଓ ଗୋଟିଏ ପୋଲିସ ଫାଣ୍ଡି ଥାଇ ମଧ୍ୟ ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ ନଥିବା ଭଳି ମନେହେଉଛି। ମାସକ ମଧ୍ୟରେ ଏକାଧିକ ବଡ଼ ଧରଣର ଚୋରି ଘଟଣା ଘଟିସାରିଥିଲେ ମଧ୍ୟ ପୋଲିସ ଚୋର ଧରିବାରେ ବିଫଳ ହୋଇଛି। ବର୍ତ୍ତମାନ ଗୋଲାମୁଣ୍ଡା ଅଞ୍ଚଳକୁ ଚୋର ଗ୍ୟାଙ୍ଗ ନିଜ କବ୍‌ଜାକୁ ନେଇ ଏହାକୁ ନିଜର ଚରାଭୂଇଁ ପାଲଟିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପୋଲିସର ଏଭଳି ଅପାରଗତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସିଆରପି କ୍ୟାମ୍ପ ବା ପୁରୁଣା ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ସର୍ବମଙ୍ଗଳା ମହାବିଦ୍ୟାଳୟରେ ଶନିବାର ବିଳମ୍ବିତ ରାତି ପ୍ରାୟ ୧:୪୫ ମିନିଟ୍‌ ସମୟରେ ଏକ ଚୋରି ହୋଇଛି। ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଯେ, ଜଣେ ଦୁର୍ବୃତ୍ତ କଲେଜ ଅଧ୍ୟକ୍ଷ ଶରତ କୁମାର ସ୍ୱାଇଁଙ୍କ ଚେମ୍ବର କବାଟ ଭାଙ୍ଗି ଦୁଇଟି ସିସିଟିଭି ଏଲ୍‌ଇଡି ମନିଟର ଏବଂ ଦୁଇଟି ଆଲମାରୀ ଭାଙ୍ଗି କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଲୁଟି ନେଇଛି। ଏ ନେଇ କଲେଜ ପକ୍ଷରୁ ଥାନାରେ ଲିଖିତ ଏତଲା ଦିଆଯାଇଛି। ସେହିପରି ଗୋଲାମୁଣ୍ଡା ନାଏକପଡ଼ା ସ୍କୁଲରେ ମଧ୍ୟ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟର କବାଟ ଭଙ୍ଗାଯାଇଥିବା ସୂଚନା ମିଳିଛି। ଗତ ମେ’ ୨୧ ତାରିଖ ରାତିରେ ଖଳିଆକାନୀ ଗ୍ରାମର ଆନନ୍ଦ ମେହେର (୩୫)ଙ୍କ ଘରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା। ପରିବାର ଲୋକେ ରାତ୍ରିଭୋଜନ ସାରି ଶୋଇପଡ଼ିଥିବା ବେଳେ ଭୋର ପ୍ରାୟ ୪ଟାରେ ତାଙ୍କ ମାଆ ଉଠି ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ପ୍ରାୟ ୩୦ ଭରି ସୁନା ଗହଣା ଏବଂ ନଗଦ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଚୋରମାନେ ଗହଣା ନେଇସାରିବା ପରେ ଖାଲି ଡବାଗୁଡ଼ିକୁ ଶୌଚାଳୟ ନିକଟରେ ଫିଙ୍ଗି ପଳାଇଥିଲେ, ଯାହାକୁ ନେଇ ଆନନ୍ଦ ଥାନାରେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ସାରସଗୁଡ଼ା ଗ୍ରାମର ବାସିନ୍ଦା ନିରଞ୍ଜନ ଅଘରିଆଙ୍କ ଘରୁ ଦୁର୍ବୃତ୍ତମାନେ ନଗଦ ୨ ଲକ୍ଷ ଟଙ୍କା, ୨ ଭରି ସୁନା, ୫୦ ଭରି ରୁପା ସମେତ ୩୫୦୦ ଟଙ୍କାର ଖୁଚୁରା ପଇସା କଳାକାନା ବୁଲାଇ ଲୁଟି ନେଇଥିଲେ। ସେହିପରି ଗୋଲାମୁଣ୍ଡାର ଜିମୁତ ବାହାନ ହରପାଳଙ୍କ ଘରେ ମଧ୍ୟ ଚୋରମାନେ ଝରକା ଭାଙ୍ଗି ଭିତରକୁ ପଶିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ବାରମ୍ବାର ଚୋରି ଯୋଗୁଁ ସ୍ଥାନୀୟ ବାସିନ୍ଦା ନିଜର ସୁରକ୍ଷାକୁ ନେଇ ଆଶଙ୍କାରେ ଥିବା ବେଳେ ତୁରନ୍ତ ରାତ୍ରି ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି। ତେବେ ସମଗ୍ର ବ୍ୟାପକ ଅଞ୍ଚଳ ପାଇଁ ଥାନାରେ ମାତ୍ର ଦୁଇଗୋଟି ସରକାରୀ ଗାଡ଼ି ରହିଥିବାରୁ ସବୁ ସ୍ଥାନକୁ ସମାନ ଭାବେ କଭର କରିବା ପୋଲିସ ପାଇଁ କଷ୍ଟକର ହେଉଛି। ସୀମିତ ସମ୍ବଳ ଏବଂ ମାତ୍ର ଦୁଇଟି ଗାଡ଼ି ମଧ୍ୟରେ ବି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ରାତ୍ରି ପାଟ୍ରୋଲିଂକୁ ସୁଦୃଢ଼ କରିବା ପାଇଁ ସର୍ବୋତ୍ତମ ଚେଷ୍ଟା ଜାରି ରହିଛି ବୋଲି ଗୋଲାମୁଣ୍ଡା ଥାନାଧିକାରୀ ଯଶୋବନ୍ତ ସେଲମା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *