ବଜ୍ରପାତରେ ବଳଦର ମୃତ୍ୟୁ : କ୍ଷତିପୂରଣ ଦାବି

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ( ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ବୈଜଲପୁର ଗ୍ରାମରେ ବଜ୍ରପାତ ଘଟି ଏକ ବଳଦର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବୈଜଲପୁର ଗ୍ରାମର ଜଣେ ସାଧାରଣ ଚାଷୀ ପୁରୁଷୋତ୍ତମ ଭାଟିଙ୍କ ବଳଦ ଆଜି ଅପରାହ୍ନ ପ୍ରାୟ ଚାରିଟା ସମୟରେ ବାହାରେ ଥିଲା। ଏହି ସମୟରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସହିତ ବଜ୍ରପାତ ହେବାରୁ ବଳଦଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ଗରିବ ଚାଷୀ ପୁରୁଷୋତ୍ତମ ଭାଟିଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦୃଢ଼ ଦାବି କରିଛନ୍ତି।ଏ ସମ୍ପର୍କରେ ଗୋଷ୍ଠୀ ପ୍ରାଣୀ ସମ୍ପଦ ଚିକିତ୍ସକ ମଞ୍ଜୁଲତା ବାଗଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ଯେ ଘଟଣାର ସରଜମିନ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *