ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମାତ୍ର ୫୦୦ ଟଙ୍କାର କରଜ ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କୁ ଅଶାଳୀନ ଭାଷା ପ୍ରୟୋଗ କରି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ, ବିରିକୋଟ ଗ୍ରାମର ନକୁଳ ନାଏକ (୭୬) ଗତ ମେ’ ୨୫ ତାରିଖରେ କେନ୍ଦୁପଡ଼ା ଗ୍ରାମକୁ ବୋହଲେନ୍ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଧାର ଦେଇଥିବା ୫୦୦ ଟଙ୍କା ଫେରସ୍ତ ମାଗିବାରୁ ସବାନାଥ ନାଏକ, ତାଙ୍କ ପତ୍ନୀ ମୁକ୍ତା ନାଏକ ଓ ଝିଅ ତରୁଣୀ ନାଏକ ଏକତ୍ରିତ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରିବାର ପକ୍ଷରୁ ଦାଖଲ ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ନକୁଳ ନାଏକଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ତଳେ ପକାଇ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଏବଂ ତାଙ୍କ ଝିଅ ବାସନ୍ତୀ ନାଏକ ତାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ନକୁଳଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବଂ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଭୀମସାରକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ସକାଳେ ତାଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ବୁର୍ଲାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହ ନେଇ ଗାଁକୁ ଫେରୁଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନଥିବା ପ୍ରତିବାଦରେ ଶତାଧିକ ଗ୍ରାମବାସୀଙ୍କ ସହ ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୋଷୀମାନଙ୍କୁ ତୁରନ୍ତ ଗିରଫ କରି କଠୋର ଆଇନଗତ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ କୈବଲ୍ୟ ସେଠ୍ କହିଛନ୍ତି, “ଅଭିଯୁକ୍ତମାନେ ପୋଲିସ ନଜରରେ ଅଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବା ସହ ଦୃଢ଼ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ପୋଲିସର ଏହି ପ୍ରତିଶ୍ରୁତି ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିବା ବେଳେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ସୂଚନାଯୋଗ୍ୟ ଯେ, ମୃତକଙ୍କ ପତ୍ନୀ ଦ୍ରୌପଦୀ ନାଏକ ଗତ ମେ’ ୨୯ ତାରିଖରେ ଥୁଆମୂଳ ରାମପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ଏହା ଆଧାରରେ ପୋଲିସ ବିଏନ୍ଏସ୍ର ବିଭିନ୍ନ ଧାରାରେ କେସ୍ ନଂ-୮୭/୨୬ ରୁଜୁ କରି ସବ୍-ଇନ୍ସପେକ୍ଟର ସୁଶାନ୍ତ ପଣ୍ଡାଙ୍କୁ ତଦନ୍ତ ଭାର ଦେଇଥିବା ଜଣାପଡ଼ିଛି।

