ମ.ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଗଉଡ କର୍ଲାଖୁଣ୍ଟା ଗ୍ରାମରେ ଗତ ୨୬ ତାରିଖ ଦିନ ନିର୍ମାଣଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣାରେ ପୀଡ଼ିତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ସ୍ଥାନୀୟ ଜନପ୍ରତିନିଧି। ଆଜି ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରିବା ସହ ଗଭୀର ସମବେଦନା ଜଣାଇଛନ୍ତି। ବିଧାୟିକା ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସାନ୍ତ୍ୱନା ଦେଇଥିଲେ। ଏହି ଅବସରରେ ବିଧାୟିକା ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଗଉଡ କର୍ଲାଖୁଣ୍ଟା ଗାଁର ୩ ଜଣ, ମଟୋଗଣ୍ଡା ଗାଁର ଜଣେ ଏବଂ ଦୁଟା ଗାଁର ୨ ଜଣ ମୃତକଙ୍କ ପରିବାରକୁ ପୃଥକ ପୃଥକ ଭାବେ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହା ସହିତ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ହାତୀଖୋଜ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ସହାୟତା ରାଶି ବଣ୍ଟନ ସମୟରେ ବିଧାୟିକାଙ୍କ ସହ ମ.ରାମପୁର ବ୍ଲକ ବିଜେଡି ସଭାପତି ସତ୍ୟନାରାୟଣ ସାହୁ, ରାଜ୍ୟ ସରପଞ୍ଚ ସଂଘ ସଭାପତି ତଥା ବମକ ସରପଞ୍ଚ ରୋମାଞ୍ଚ ସାହୁ ଏବଂ ମ.ରାମପୁର ପଞ୍ଚାୟତ ବିଜେଡି ସଭାପତି ପ୍ରତାପ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ବିଧାୟିକାଙ୍କ ଏହି ମାନବିକତା ଓ ତତ୍ପରତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

