ରାୟଗଡ଼/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ବିଶ୍ୱ ପରିବେଶ ଦିବସ-୨୦୨୬ ଅବସରରେ ରାୟଗଡ଼ ପୌରପରିଷଦ ଆନୁକୂଲ୍ୟରେ ଏକ ବିଶେଷ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ ସହ ମୋ ବଗିଚା, ୱେଷ୍ଟ ଟୁ ୱାଣ୍ଡର ପାର୍କ ଏବଂ “ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର”ର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିଥିମାନେ ‘ମୋ ବଗିଚା’ ପରିସରରେ ବୃକ୍ଷରୋପଣ କରିବା ସହ ପୌରପରିଷଦର ଏହି ଅଭିନବ ପରିବେଶ ଅନୁକୂଳ ପ୍ରକଳ୍ପଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ। ପରେ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ପାରିଷଦ ବୈଠକରେ ସହରର ପରିମଳ ବ୍ୟବସ୍ଥା ଓ ଆବର୍ଜନା ପରିଚାଳନାକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ସମାରୋହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଡିଏଫଓ ସଚିନ ଆନାସାହେବ ଓହୋଲ, ପୌର ଅଧ୍ଯକ୍ଷ ପି. ମହେଶ ପଟ୍ଟନାୟକ ଓ ସମସ୍ତ ପାରିଷଦ ଉପସ୍ଥିତ ଥିଲେ। ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଦୀପ କୁମାର ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

