ପାପଡ଼ାହାଣ୍ଡି/କ୍ରାନ୍ତି କ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେଥି ମଧ୍ୟରୁ ନବରଙ୍ଗପୁର ଜିଲ୍ଲାରେ ସର୍ବମୋଟ ୧୩ ଗୋଟି ସ୍କୁଲର ମଧ୍ୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମଧ୍ୟ ଆଭାସୀ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲ୍ଲାର ୧୩ଗୋଟି ମଧ୍ୟରୁ ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ସରକାରୀ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରରେ ଜଡ଼ିତ କରି ଆଜି ଏହାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ଏହି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଯେପରି ସତ୍ୟବାଦୀ ବନ ବିଦ୍ୟାଳୟ ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ। ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ। ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରି ପାରିବେ। ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଜ୍ଞାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ। ଏହି ଯୋଜନାରେ ଚେରଚେଟା ଉଚ୍ଚ ବିଦ୍ୟାଳୟର ନୂଆ କ୍ଲାସ ରୁମ୍, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଟଏଲଟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍, ଖେଳ ପଡିଆ, ଡାଇନିଙ୍ଗ ହଲ୍, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର କରାଯିବାର ବ୍ୟବସ୍ଥା ରହିଛି। ଏହା ସହିତ କ୍ରୀଡା, ଶାରୀରିକ ବ୍ୟାୟମ ଏବଂ ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପର ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଉଲ୍ଲେଖ ରହିଛି। ଆଜିର କାର୍ଯକ୍ରମରେ ଜିଲ୍ଲପାଳ ଡ. ମହେଶ୍ୱର ସ୍ୱାଇଁ, ବିଡିଓ କପିଳଦେବ ସାହୁ, ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସାଂସଦ ପ୍ରତିନିଧି ତଥା ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ପାଦକ ସୋମନାଥ ପୂଜାରୀ,ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା,ସରପଂଚ ଉର୍ମିଳା ମାଝୀ, ମଣ୍ଡଳ ସଭାପତି କେ କ୍ରିଷ୍ଣା ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ ।

