ଯାଜପୁର/କ୍ରାନ୍ତିକ୍ଷେତ୍ର : ଯାଜପୁର ଜିଲ୍ଲାର ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ୧୨ଟି ପ୍ରାଥମିକ ବିଦ୍ୟାଳୟକୁ ସାମିଲ କରାଯାଇଛି। ଏହି ଅବସରରେ ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଡ଼ମ୍ବରପୂର୍ଣ୍ଣ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ସାଂସଦଙ୍କ ପ୍ରତିନିଧି ମାନସ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଶିକ୍ଷା ହେଉଛି ସମାଜ ପରିବର୍ତ୍ତନର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ଏବଂ ଏହି ଯୋଜନା ଗ୍ରାମାଞ୍ଚଳର ଶିଶୁମାନଙ୍କ ସ୍ୱପ୍ନ ପୂରଣ କରିବାରେ ଏକ ଐତିହାସିକ ପଦକ୍ଷେପ ହେବ। ଏହି ଯୋଜନାରେ ବଡ଼ଚଣା, ଦାନଗଦୀ ଓ ସୁକିନ୍ଦା ବ୍ଲକର ୧୨ଟି ବିଦ୍ୟାଳୟ ଯଥା- ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ଯଖପୁରା ସରକାରୀ ଉଚ୍ଚ ବିଦ୍ୟାଳୟ, ଚିଙ୍ଗୁଡ଼ିପାଳ ଦେଓଗାଁ ପିୟୁପିଏସ ଏବଂ ସୁକିନ୍ଦାର ବୋତଳଣ୍ଡା, ସାରୁଅବିଲ, ଆମ୍ବାସର ସମେତ ଅନ୍ୟାନ୍ୟ ସ୍କୁଲକୁ ସାମିଲ କରାଯାଇଛି। ଆଗାମୀ ଦିନରେ ଏହି ସ୍କୁଲଗୁଡ଼ିକରେ ଆଧୁନିକ ଶ୍ରେଣୀଗୃହ, ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା, ଖେଳ ଓ ସ୍ୱଚ୍ଛତା ସୁବିଧା ସହ ଏକ ଉତ୍କୃଷ୍ଟ ଶିକ୍ଷା ପରିବେଶ ସୃଷ୍ଟି କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ, ଅତିରିକ୍ତ ଶିକ୍ଷାଧିକାରୀ ଆଲୋକ କୁମାର ବନ୍ଧ ଏବଂ ଦାନଗଦୀ ବ୍ଲକ ଶିକ୍ଷାଧିକାରୀ ଶୁଭ୍ରାଂଶୁ ପୁହାଣଙ୍କ ସମେତ ବହୁ ଶିକ୍ଷାବିତ୍ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏହି ଗୁଣାତ୍ମକ ଶିକ୍ଷାମୁଖୀ ପଦକ୍ଷେପକୁ ସ୍ଥାନୀୟ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବେଶ୍ ସ୍ୱାଗତ କରିଛନ୍ତି।

