ବିଜମରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ୍ ଆରୋହୀ ଗୁରୁତର

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ଛକ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବୋଲେରୋ ପିକଅପ୍ ଭ୍ୟାନ୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା ଦୁଇଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ବୋଲେରୋ ପିକଅପ୍‌ଟି ମୋଟେର ପଟୁ ଜୟପାଟଣା ଅଭିମୁଖେ ଆସୁଥିଲା। ସେହି ସମୟରେ ବିଜମରା ଛକ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ୍‌କୁ ପିକଅପ୍‌ଟି ଜୋରଦାର ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ, ପିକଅପ୍ ଚାଳକ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇ ବାଇକ୍ ଆରୋହୀ ହେଲେ ଦୁଲକୀବନ୍ଧ ଗାଁର ଜୟନ୍ତ ନାୟକ ଓ ସୁମନ୍ତ ମାଝୀ। ସୁମନ୍ତ ମାଝୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଜୟନ୍ତ ନାୟକଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ଅଛି।ଘଟଣାସ୍ଥଳରେ କଲମପୁର ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।ପୋଲିସ ଦୁର୍ଘଟଣା ଘଟାଇଥିବା ପିକଅପ୍ ଚାଳକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *