ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ରାଜ୍ୟରେ ଦୁଇ ମାସ ହେଲା ଡିବିଟି ମାଧ୍ୟମରେ ଭତ୍ତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କୁ ଭତ୍ତା ମିଳିନି।ଫଳରେ ହିତାଧୀକାରୀ ମାନେ ଦୟନୀୟ ଅବସ୍ଥାରେ ଅନେକ ଦୁଃଖ କଷ୍ଟରେ ବଞ୍ଚୁଥିବା ଦେଖିବାକୁ ମିଳିଛି। ଭତ୍ତାଟିଏ ମିଳିବ ଓ ସେହି ଟଙ୍କାରେ ପରିବାର ଚଳିବୁ ପୁଣି ମୁହଁରେ ହସ ଆସିବ ଏହି ଆଶାରେ ରହିଛନ୍ତି ଅନେକ ହିତାଧିକାରୀ। ଗରିବ ଖଟିଖିଆ ଲୋକ ଭତ୍ତା ଟଙ୍କାକୁ ଅପେକ୍ଷା କରି ଦିନ ଗଣୁଛନ୍ତି। ହେଲେ ସ୍ୱାମୀଙ୍କୁ ତିନି ମାସର ଭତ୍ତା ନ ମିଳିବାରୁ ଖାଇବାକୁ ଖଣ୍ଡେ ମିଳିବ ବୋଲି ସ୍ତ୍ରୀଙ୍କୁ ନେଇ ଭିକ୍ଷା ବୃତ୍ତି ଆଦରି ନେଇଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତର ମୂଷାପାଲା ଗ୍ରାମର ବୃଦ୍ଧ ଦମ୍ପତି। ଦୈତାରି ଭତ୍ରା ଓ ତାଙ୍କ ସ୍ତ୍ରୀ ବାଲ ଭତ୍ରା ବୟସ ପାଖାପାଖି ୭୦ ପାର ହୋଇ ସାରିଛି। ସ୍ୱାମୀଙ୍କ ଆଖି ଭଲ ଭାବେ ଦେଖା ଯାଉ ନଥିବା ବେଳେ ଟାଇଁଟାଇଁ ଖରାକୁ ପାଦରେ ଚାଲି ଚାଲି ଗାଁଗାଁ ବୁଲି ଯିଏ ଯାହା ଦେଲା ନେଉଛୁ ବୋଲି କହିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ। ନିଜ ଗାଁ ମୂଷାପାଲାରୁ ଲକ୍ଷ୍ମୀ ବସରେ ମୈଦଲପୁର ଆସି ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି। ତିନି ମାସର ଭତ୍ତା ମିଳି ନାହିଁ, ହାତରେ ଟଙ୍କା ନାହିଁ କେମିତି ଚଳିବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ବୃଦ୍ଧା ଓ ବୃଦ୍ଧ। ଘରେ ପୁଅ ଓ ଝିଅ ଅଛନ୍ତି ହେଲେ ସେମାନେ ମାନସିକ ରୋଗରେ ପୀଡିତ ଥିବା ପ୍ରକାଶ କରିଛନ୍ତି। ପ୍ରତି ମାସରେ ସରକାର ଭତ୍ତା ଟଙ୍କା ଦେଉଥିଲେ କିନ୍ତୁ କାହିଁକି କେଜାଣି ଏଭଳି ନିଃସହାୟ ଲୋକଙ୍କୁ ହୋଇରାଣ କରିବା ଠିକ ହୋଇ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି। ସରକାରୀ ସହାୟତା କହିଲେ ମାସକୁ ୧୦ କେଜି ଚାଉଳ ମିଳୁଛି କିନ୍ତୁ ଏତିକିରେ ନିଅଣ୍ଟ ହୋଉଥିବା କହିଛନ୍ତି। ଗରିବ ପରିବାର ଭତ୍ତା ନ ପାଇ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଭତ୍ତା ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି। ଏ ବିଷୟରେ ସ୍ଥାନୀୟ ସରପଞ୍ଚ କିମ୍ବା ବିଡ଼ିଓଙ୍କ ମତାମତ ମିଲି ପାରିନାହିଁ।

