ପଦାରେ ପଡ଼ିଲା ବିଜେପି କଳି: ଖଲ୍ଲିକୋଟରେ ବିଧାୟକ-ସାଂସଦ ମୁହାଁମୁହିଁ

କ୍ରାନ୍ତିକ୍ଷେତ୍ର /ବ୍ରହ୍ମପୁର (ଯଯାତୀ କେଶରୀ ବେହେରା) : ଗଞ୍ଜାମ  ଜିଲ୍ଲାରେ ଥମୁନି ଫଳକ ରାଜନୀତି । କବିସୂର୍ଯ୍ୟନଗର ପରେ ଆଜି ଖଲ୍ଲିକୋଟରେ ଅଭାବନୀୟ ସ୍ଥିତି ଦେଖାଦେଇଛି । ଭିତ୍ତିପ୍ରସ୍ତର ଫଳକକୁ ନେଇ ଆସିକା ସାଂସଦ ଓ କବିସୂର୍ଯ୍ୟନଗର ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ୧ ପ୍ଲାଟୁନ୍‌ ଫୋର୍ସ ମୂତୟନ କରାଯାଇଥିଲା । ବିଡିଓ ଏବଂ ଅତିରିକ୍ତ ତହସିଲଦାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଜି ଦ୍ବିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା । ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଖଲ୍ଲିକୋଟ ବ୍ଲକ କୋମଣ୍ଡ ପଞ୍ଚାୟତ ବଡ଼ ରାମପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏହି କାର୍ଯ୍ୟକ୍ରମରେ ଅତିଥି ଥିଲେ। ତେବେ ଫଳକରେ ନାମ ଆଗରେ ରହିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପ୍ରଶାସନ ତରଫରୁ କଳା ମୁଗୁନିପଥରରେ ପ୍ରଥମେ ବିଧାୟକ ଓ ପରେ ସାଂସଦଙ୍କ ନାଁ ଥିବା ଫଳକ ଲଗାଯାଇଥିଲା। ପରେ ତାହାକୁ ବଦଳାଇ ଏକ ଫ୍ଲେକ୍ସରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ନାଁ ଥିବା ଫଳକ ଲଗାଗଲା। ଏହାକୁ ନେଇ ସାଂସଦ-ବିଧାୟକଙ୍କ ସହ ଉଭୟଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ସକାଳେ ପୁଲିସ ଉପସ୍ଥିତିରେ ସାଂସଦଙ୍କ ନାମ ପ୍ରଥମେ ଥିବା ଫଳକକୁ ହଟାଇ ବିଧାୟକଙ୍କ ନାମ ପ୍ରଥମେ ଥିବା ଫଳକ ଲଗାଯାଇଥିଲା। ଏହାପରେ ସାଂସଦଙ୍କ ସମର୍ଥକମାନେ ପୁଣି ପୁରୁଣା ଫଳକ ଲଗାଇବା ଜିଦରେ ଅଡ଼ି ବସିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତେଜନା ବଢ଼ିବା ପରେ ୧ ପ୍ଲାଟୁନ୍‌ ଫୋର୍ସ ମୂତୟନ କରାଯାଇଥିଲା। ପ୍ରାଶାସନିକ ଅଧିକାରୀ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। ହେଲେ କୌଣସି ସମାଧାନ ହୋଇ ପାରିନଥିଲା। ପରିସ୍ଥିତିକୁ ଦେଖି କାର୍ଯ୍ୟକ୍ରମକୁ ତରବରିଆ ଭାବେ ଶେଷ କରାଯାଇଥିଲା। ବିଧାୟକ ଓ ସାଂସଦ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ନକରି ସେଠାରୁ ଚାଲିଯାଇଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ ବିଡିଓ ଦେବାଶିଷ ସାମଲ ଓ ଅତିରିକ୍ତ ତହସିଲଦାର ଅଜୟ ସ୍ୱାଇଁ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସୂଚନା ଥାଉକି ଗତ ସପ୍ତାହରେ କବିସୂର୍ଯ୍ୟନଗରରେ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ଦୁଇ ଦୁଇଟି ସ୍ଥାନରେ ବିଧାୟକ-ସାଂସଦଙ୍କ ନାମ ଥିବା ଫଳକକୁ ବଦଳା ଯାଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଆଜି ଖଲ୍ଲିକୋଟରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ବିଜେପିର ଅନ୍ତଃକନ୍ଦଳକୁ ପଦାରେ ପକାଇଛି। ଦଳରେ ସାଂସଦ-ବିଧାୟକମାନଙ୍କ ମଧ୍ୟରେ ସୁସମ୍ପର୍କ ନଥିବା ଅନେକ ଉଦାହରଣ ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *