ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ମୈଦଳପୁର ଅଞ୍ଚଳରେ ଦୀର୍ଘ ଦିନ ପରେ ବର୍ଷା ଫେରିବାରୁ ସମସ୍ତଙ୍କୁ ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ମିଳିଛି। ହେଲେ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି। ଆଜବେଷ୍ଟ ଉଡିଯାଇ ଅନେକ ଘର ଭାଙ୍ଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ ରାସ୍ତା ଅବରୋଧ ହୋଇଛି। ଲୋକଙ୍କ ଘର ଉପରେ ଗଛ ମାଡି ବସିବାରୁ ଘର ଦ୍ୱାର ଭାଙ୍ଗି ଯାଇଛି। ମୈଦଳପୁରର ବିଭିନ୍ନ ଅଂଚଳରେ କାଳବୈଶାଖୀ ଜନିତ କ୍ଷୟକ୍ଷତି ହୋଇଛି। ପ୍ରବଳ ବେଗରେ ହଠାତ ପବନ ଆସିବାରୁ ମୈଦଳପୁର ପଂଚାୟତ ଅଧିନ ଗୋପିଗୁଡ଼ା ଗାଁର ଫଗୁନୁ ମାଝୀ ଓ ପଦନ ମାଝୀଙ୍କ ଘର ଉପରେ ବିରାଟକାୟ ତେନ୍ତୁଳି ଗଛ ପଡିଯିବାରୁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ମାଝୀଗୁଡା ପଂଚାୟତ ସଦର ମହକୁମାର ସୁନ୍ଦର ଦାସ ବିଷୋୟୀ ଆଜବେଷ୍ଟ ଉଡେଇ ନେଇଥିବା ବେଳେ ଓ ଚାରିଖୁଟିଆଗୁଡା ଗାଁର କମଲୋଚନ ଜାନୀଙ୍କ ଘରର ଆଜବେଷ୍ଟ ଛାତ ସମ୍ପୁର୍ଣ୍ଣ ଉଡିଯାଇଥିବା ଯାଇଛି। ରାତିରେ କେଉଁଠି ବାସ କରିବେ ଚିନ୍ତାରେ ପଡି ଯାଇଛନ୍ତି । ଚାଳ ଛପର ଘର ଭାଙ୍ଗି ଯିବା ସହିତ ଆସବାବ ପତ୍ର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

