୪ ବର୍ଷ ପରେ ବି ଅଧପନ୍ତରିଆ ସାନ୍ଦୁଲ ନଦୀ ବ୍ରିଜ : ଯାତାୟାତରେ ୧୫ ଗାଁ ନାହିଁନଥିବା ଅସୁବିଧା

ଲାଞ୍ଜିଗଡ/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତର ଖଜୁରଗୁଡା ନିକଟସ୍ଥ ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ଚରମ ଅବହେଳା ଦେଖାଦେଇଛି। ୨୦୨୩ ମସିହାରୁ ଭବାନୀପାଟଣାର ଜଣେ ଠିକାଦାର କାମ ଆରମ୍ଭ କରିଥିଲେ ହେଁ, ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ରିଜ କାର୍ଯ୍ୟ ଶେଷ ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା ନଦୀର ଗୋଟିଏ ପଟେ କେବଳ ଲୁହାଛଡ଼ ଠିଆ ହୋଇଥିବା ବେଳେ ଅନ୍ୟପଟେ ଛାତ ପଡ଼ିପାରି ନାହିଁ। ମନ୍ଥର ଓ ନିମ୍ନମାନର ନିର୍ମାଣ ଯୋଗୁଁ ବ୍ରିଜର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି, ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରିଜ ସମ୍ପୂର୍ଣ୍ଣ ହୋଇନଥିବାରୁ ଏକ ଅସ୍ଥାୟୀ ପୋଲ କରାଯାଇଛି, ଯାହା ବର୍ଷା ଦିନେ କାଦୁଅ ପଚପଚ ହୋଇ ମରଣଯନ୍ତା ପାଲଟୁଛି। ଫଳରେ ବିଜେପୁର, ମାଳିଯୁବାଙ୍ଗ ଓ ପାହାଡ଼ପଦର ପଞ୍ଚାୟତର ୧୫ରୁ ଊର୍ଦ୍ଧ୍ୱ ଗାଁର ଲୋକେ ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ଆଶଙ୍କା ଦେଖାଦେଇଛି। ସ୍କୁଲ, ଅଙ୍ଗନବାଡି, ସ୍ୱାସ୍ଥ୍ୟକେନ୍ଦ୍ର ଓ ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଏଣୁ ଲୀଳାମ୍ବର ବାଗ, ଯୁଜେଷ୍ଟି ନାଏକଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *