ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ; ଯୁବକ କୋର୍ଟ ଚାଲାଣ

କଲମପୁର, କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରେ ଜଣେ ଯୁବକ ପୋସ୍କୋ ଆକ୍ଟରେ ଛନ୍ଦି ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ, ଚଳିତ ମାସ ୯ ତାରିଖ ଦିନ ଥାନା ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ କଲମପୁର ଥାନାରେ ଅଭିଯୋଗ କରିଥିଲେ। ପରିବାର ପକ୍ଷରୁ ଖୋଜାଖୋଜି ପରେ ମଧ୍ୟ ନାବାଳିକାର କିଛି ସନ୍ଧାନ ମିଲି ପାରି ନ ଥିଲା। ଅନ୍ୟପକ୍ଷେ ସେ‌‌ହି ଗ୍ରାମର ପ୍ରକାଶ ନାଏକ (୨୫) ମଧ୍ୟ ସେ ସମୟରୁ ନିଖୋଜ ଥିବା ଜଣାପଡିଥିଲା। ସେହି ଦିନ ପ୍ରକାଶ ନାବାଳିକାକୁ ସରକାରୀ ବସରେ ବସାଇ ନେଇଥିବା ସେହି ଗ୍ରାମର ରମାକାନ୍ତ ଦଲପତି ଦେଖି ଝିଅ ଘର ଲୋକଙ୍କୁ ଜଣାଇଥିଲେ। ପୂନର୍ବାର ଏତଲା ଦାୟର କରି ପୁଲିସ ପାଖକୁ ବାରମ୍ବାର ଦୌଡିଲେ ପରିବାର ଲୋକେ, କିନ୍ତୁ କିଛି ସୁଫଳ ମିଲି ପାରି ନଥିଲା। ଶେଷରେ ନାବାଳିକାର ପରିବାର ଲୋକେ ଗତ ୧୬ ତାରିଖ ଦିନ ଧର୍ମଗଡ ବିଧାୟକଙ୍କୁ ଜଣାଇଥିଲେ। ବିଧାୟକ ମଧ୍ୟ ଏହି ଘଟଣାକୁ ଗମ୍ଭୀରତା ସହକାରେ ଗ୍ରହଣ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ କଲମପୁର ପୋଲିସ ତତ୍ପରତା ପ୍ରକାଶ କରିଥିଲା, ଅଭିଯୁକ୍ତ ପ୍ରକାଶ ନାଏକଙ୍କୁ କୌଶଳକ୍ରମେ କାବୁ କରିବା ପରେ ସତ ସାମ୍ନାକୁ ଆସିଥିଲା। ସେପଟେ ଅଭିଯୁକ୍ତ ଲୁଚାଇ ରଖିଥିବା ଜିଲ୍ଲା ବାହାର ଗ୍ରାମରୁ ନାବାଳିକା କୌଶଳ କ୍ରମେ ଖସି ଆସିବାରେ ସକ୍ଷମ ହୋଇଥିଲା, ଜୟପାଟଣା ନିକଟରୁ ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରି ପୋଲିସକୁ ଜିମା ଦେଇଥିଲେ, ପ୍ରାଥମିକ ତଦନ୍ତ ଓ ନାବାଳିକାର ବୟାନକୁ ଭିତ୍ତି କରି କଲମପୁର ପୋଲିସ ନାବାଳିକାର ଡ଼ାକ୍ତରୀ ମାଇନା ସହିତ ମାଜିଷ୍ଟ୍ରେଟ ପାଖରେ ବୟାନ ରେକର୍ଡ କରିଥିଲେ। ଶନିବାର ଅଭିଯୁକ୍ତକୁ ପୋସ୍କୋ କୋର୍ଟ ଚାଲାଣ କରାଯାଇ ଥିବାବେଳେ ପରିବାର ଲୋକେ ନାବାଳିକାଙ୍କୁ ନିଜ ଘରକୁ ନେବାକୁ ଅରାଜି ହେବା ଫଳରେ ସ୍ଵଧାର ଗୃହକୁ ପଠାଇ ଦିଆଯାଇଥିବା ପୋଲିସ ଠାରୁ ସୂଚନା ମିଳିଛି।