ଚର୍ଚ୍ଚାରେ କଛାରପଡା ଚେକ୍‌ ଡେମ୍‌ କାମ : ଖଡ଼ିଆରରେ ଥାଇ କୋକସରାର ବିଲ୍ କରୁଛନ୍ତି ପୂର୍ବତନ ଯନ୍ତ୍ରୀ!

କ୍ରାନ୍ତିକ୍ଷେତ୍ର/ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଛାରପଡା କୁରେଇ ଯୋରଠାରେ ହୋଇଥିବା ମନରେଗା ଯୋଜନାର ଚେକ୍ ଡେମ କାର୍ଯ୍ୟକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୁରୁଣା ବନ୍ଦ ପଡ଼ିଥିବା କାମକୁ ନୂଆ ରୂପ ଦେଇ ବ୍ୟାପକ ପାଣ୍ଠି ହରିଲୁଟ୍ ଚାଲିଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ଗତ ୨୦୨୨ ମସିହାରେ ମନରେଗା ଯୋଜନାରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଚେକ୍ ଡେମ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ଅନ୍ୟ ପଞ୍ଚାୟତର ଶ୍ରମିକ ନିୟୋଜନ ସହ ଅତି ନିମ୍ନମାନର ଗେଟି ଓ ମେଟାଲ ବ୍ୟବହାର ନେଇ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ସମ୍ବାଦ ପ୍ରକାଶ ପାଇଥିଲା। ଅଭିଯୋଗର ଗୁରୁତ୍ୱକୁ ଦେଖି ତତ୍କାଳୀନ ବିଡ଼ିଓ କାର୍ଯ୍ୟ ବନ୍ଦ କରିବା ସହ ଫାଇଲ୍ ବନ୍ଦ କରିଦେଇଥିବା ଜଣାପଡିଛି। ମାତ୍ର ଆଶ୍ଚର୍ଯ୍ୟର କଥା, ପ୍ରାୟ ୩-୪ ବର୍ଷ ପରେ ଚଳିତ ବର୍ଷ ସେହି ଅଧାପନ୍ତରିଆ କାମକୁ ପୁଣି ଥରେ ୧୦ ଲକ୍ଷ ଟଙ୍କା ବଜେଟ୍‌ରେ କରାଯାଇଛି। ଘଟଣାର ରହସ୍ୟ ଲୁଚାଇବା ପାଇଁ କାର୍ଯ୍ୟସ୍ଥଳରେ ଥିବା ସୂଚନା ଫଳକକୁ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି।

ସବୁଠାରୁ ବଡ଼ ଅନିୟମିତତା ହେଉଛି, ଯେଉଁ କନିଷ୍ଠ ଯନ୍ତ୍ରୀ ସେତେବେଳେ କାର୍ଯ୍ୟ ତଦାରଖ କରୁଥିଲେ, ତାଙ୍କର ବର୍ତ୍ତମାନ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକକୁ ବଦଳି ହୋଇସାରିଛି। ଜଣେ ବଦଳି ହୋଇଥିବା ଯନ୍ତ୍ରୀ ପୁରୁଣା ତାରିଖ ଦର୍ଶାଇ କୋକସରା ବ୍ଲକର କାର୍ଯ୍ୟ ପାଇଁ କେମିତି ଏବଂ କେଉଁ ଆଧାରରେ ବିଲ୍ ପ୍ରସ୍ତୁତ କରୁଛନ୍ତି, ଏବଂ ତତ୍କାଳୀନ ବ୍ଳକ ସହକାରୀ ଯନ୍ତ୍ରୀ ଚେକ୍ ମେଜର ମେଣ୍ଟ କେମିତି କଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଆଲୋଚନା ଅନୁସାରେ, ଉକ୍ତ ଚେକ୍ ଡେମ୍ କାର୍ଯ୍ୟ କରୁଥିବା ଠିକାଦାର ଜଣକ ଶାସକ ଦଳର ଜଣେ ପ୍ରଭାବଶାଳୀ ପଦାଧିକାରୀ ତଥା ସ୍ଥାନୀୟ ବିଜେପି ବିଧାୟକଙ୍କ ଅତି ନିକଟତର। ଏହି ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ସେ ପ୍ରଶାସନ ବା କାହାରିକୁ ଖାତିର କରୁ ନଥିବା ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି। ଲୋକଙ୍କ ଟିକସ୍ ଅର୍ଥକୁ ଏଭଳି ବେଆଇନ ଭାବେ ହରିଲୁଟ୍ କରାଯାଉଥିବାରୁ ବଡ଼ପୋଡ଼ାଗୁଡ଼ା ଓ କୋକସରା ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ସମଗ୍ର ଘଟଣାର ସତ୍ୟାସତ୍ୟ ତଦନ୍ତ କରି ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଦାୟିତ୍ୱରେ ଥିବା ପୂର୍ବ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ବର୍ତ୍ତମାନ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ଦାୟିତ୍ଵରେ ଥିବା ଯନ୍ତ୍ରୀଙ୍କୁ ପଚାରିବାରୁ ଏ ବିଷୟରେ ସେ ଜାଣି ନଥିବା କହିଛନ୍ତି। ସେହିପରି ବ୍ଳକ ସହକାରୀ ଯନ୍ତ୍ରୀ ଏହମ୍ମଦ ସରିଫଙ୍କୁ ପଚାରିବାରୁ ବର୍ତ୍ତମାନ ପେମେଣ୍ଟ ହୋଇନାହିଁ, ସେମାନେ ଆଗରୁ ଏମ୍ଆର କାଟିଥାଇ ପାରନ୍ତି, ଏ ବିଷୟରେ ମୁଁ ଜାଣିନାହିଁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *